ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ସଫ୍ଟଓ୍ଵେୟାର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ଶ୍ଵାସରୁଦ୍ଧ କାରଣରୁ ଶ୍ୱେତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବେକ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ମଧ୍ୟ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଇଞ୍ଜିନିଅର ଶ୍ୱେତା ମୃତ୍ୟୁ ମାମଲାକୁ ନେଇ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ କହିଛନ୍ତି ସମସ୍ତ ଅଭିଯୋଗର ତଦନ୍ତ କରାଯିବ। ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ୱେତା ଆତ୍ମହତ୍ୟା କରିବା ଦିନ ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ଥାନାକୁ ଆସିଥିଲେ। ସେଠାରେ ତାଙ୍କୁ ପଚରାଉଚରା କରାଯାଇଥିଲା। କିନ୍ତୁ ତାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ସେହି ଦିନ ଶ୍ୱେତାଙ୍କ ପରିବାର ଲୋକ ଥାନାକୁ ଆସିଥିଲେ ମଧ୍ୟ କୌଣସି ଅଭିଯୋଗ କରିନଥିଲେ। ପରେ ସେମାନେ ଏତଲା ଦେଇଛନ୍ତି। ଘଟଣାର ସବୁ ଦିଗର ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତଙ୍କ ବିରୋଧରେ ପୋଲିସ ୩୦୬ ଦଫାରେ ମାମଲା କରିଛି। ଏହା ପରେ ଥାନାରେ ହାଜର ହେବା ପାଇଁ ସୌମ୍ୟଜିତଙ୍କୁ ନୋଟିସ୍ କରାଯାଇଥିଲା ବୋଲି ଡିସିପି କହିଛନ୍ତି। ପ୍ରେମରେ ପ୍ରତାରଣାର ଶିକାର ହୋଇ ଶ୍ୱେତା ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Tags: #SwetaUtkalKumari #SuicideCase #PoliceCase #PostmortemReport

Comment