ଓଡ଼ିଶାଲାଇଭ୍ ବ୍ୟୁରୋ

  • ହୁଣ୍ଡିରୁ ବାହାରିଲା ମୋଟ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା
  • ମା’ଙ୍କୁ ମିଳିଛି ୧୦୪ ଗ୍ରାମ ସୁନା ୨ କେଜିରୁ ଉର୍ଦ୍ଧ୍ୱ ରୁପା
  • ହୁଣ୍ଡିରେ ଆମେରିକୀୟ ଡଲାର

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦୀର୍ଘ ୫ ମାସ ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିର ଦାନହୁଣ୍ଡି ଖୋଲାଯାଇଛି। ହୁଣ୍ଡିରୁ ଶ୍ରଦ୍ଧାଳୁଙ୍କ ଦାନ ଟଙ୍କା ସହ ସୁନା, ରୁପା ଅଳଙ୍କାର ଓ ଆମେରିକୀୟ ଡଲାର ମିଳିଛି। ବୁଧବାର ଦିନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତହସିଲଦାର ତାପସ ରାଉତ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ମା’ଙ୍କ ଦାନହୁଣ୍ଡି।

ସ୍ଥାନୀୟ ଭେଙ୍କଟେଶ୍ଵର କଲ୍ୟାଣ ମନ୍ଦିର, ଜେମ୍ସ ଟ୍ୟୁଟୋରିଆଲର ଛାତ୍ରଛାତ୍ରୀ, ସତ୍ୟସେବା ସମିତି ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ହୁଣ୍ଡିରୁ ମୋଟ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ମିଳିଛି। କେବଳ ସେତିକି ନୁହେଁ ୧୦୪ ଗ୍ରାମ ସୁନା ଓ ୨ କେଜି ୬୬୯ ଗ୍ରାମ ରୁପା ସହ ଆମେରିକୀୟ ଡଲାର ମଧ୍ୟ ମିଳିଛି।

ହୁଣ୍ଡିରୁ ମିଳିଥିବା ଟଙ୍କା ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଛିତ ରଖାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ମନ୍ଦିର ଉନ୍ନତିକରଣ ନିମନ୍ତେ ଏହି ଟଙ୍କା ବ୍ୟବହାର କରାଯିବ ବୋଲି କହିଛି ମନ୍ଦିର ପ୍ରଶାସନ। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମା’ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିଲା। ସେହି ସମୟରେ ୭୮ ଲକ୍ଷ ୮୮ ହଜାର ଟଙ୍କା ସହ ୫୪ ଗ୍ରାମ ସୁନା ଏବଂ ୨ କେଜି ୬୦ଗ୍ରାମ ରୁପା ମିଳିଥିଲା।

Tags: #Rayagada #MaaMajhigharianiTemple #DonationBox #Devotees #Money #GoldandSilver

Comment