ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୯ ସେକେଣ୍ଡରେ ମାଟିଲା ମିଶିଲା ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାର। ରବିବାର ଅପରାହ୍ଣରେ ନୋଏଡା ସେକ୍ଟର-୯୩(ଏ)ରେ ଥିବା ୯୧୫ ପ୍ରକୋଷ୍ଠ ବିଶିଷ୍ଟ ଟ୍ୱିନ ଟାୱାରକୁ ପ୍ରାୟ ୩,୭୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇ ଧ୍ୱଂସ କରାଯାଇଛି।

ବେଆଇ ଭାବେ ନିର୍ମାଣ ହୋଇଥିବା ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାର ଆଖିପିଛୁଳାକେ ମାଟିରେ ମିଶିଗଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବିଦେଶୀ କମ୍ପାନି ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ଏହାକୁ ଭଙ୍ଗା ଗଲା। ୧୨ ସେକେଣ୍ଡରେ ଟ୍ୱିନ ଟାୱାରକୁ ଧ୍ୱଂସ କରାଯିବ ବୋଲି ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଥିଲେ ହେଁ ମାତ୍ର ୯ ସେକେଣ୍ଡରେ ଏହା ମାଟିରେ ମିଶି ଯାଇଥିଲା। ଏହି ମିଶନରେ ୧୦ ଜଣ ସଦସ୍ୟ ରହିଥିବାବେଳେ ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ବିଶେଷଜ୍ଞ ରହିଥିଲେ।

ପ୍ରଥମ ଥର ପାଇଁ ଭାରତରେ ଏଭଳି ଏକ ଉଚ୍ଚା ଟାୱାରକୁ ମାଟିରେ ମିଶାଇ ଦିଆଯାଇଛି। ସରକାରୀ ନିୟମ ଉଲ୍ଲଙ୍ଘନ କରି ଏହି ଟାୱାର ନିର୍ମାଣ କରାଯାଇଥିବାରୁ ଏହାକୁ ଧ୍ୱଂସ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନୋଏଡାର ଏକ ପ୍ରମୁଖ ରିଏଲ ଇଷ୍ଟେଟ କମ୍ପାନି ଟ୍ୱିନ ଟାୱାର ନିର୍ମାଣ କରିଥିବାବେଳେ ଏହାକୁ ଭାଙ୍ଗିବା ଲାଗି ମୁମ୍ବାଇର ଏଡିଫିସ କମ୍ପାନିକୁ ଦାୟିତ୍ଵ ଦିଆଯାଇଥିଲା। ଏଡିଫିସ ଇଂଜିନିୟରିଂର ୨୦ରୁ ୨୫ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ଥିଲେ।

ଦକ୍ଷିଣ ଆଫ୍ରିକୀୟ କମ୍ପାନି ଜେଟ୍ ଡିମୋଲିସନ ସହାୟତାରେ ଟ୍ୱିନ ଟାୱାରକୁ ଭଙ୍ଗାଯାଇଛି। ଦୀର୍ଘ ୯ ବର୍ଷ ଧରି ଚାଲିଥିବା ବିବାଦର ଏବେ ଅବସାନ ଘଟିଛି। ବେଆଇନ ଭାବେ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା କମ୍ପାନିଗୁଡ଼ିକ ପାଇଁ ଏହା ଏକ ଶିକ୍ଷା ହେବ ବୋଲି କୁହାଯାଉଛି।

୧୪ ମହଲା ପାଇଁ ଅନୁମତି ଥିଲା

ସୂଚନା ଅନୁସାରେ ୨୦୦୫-୦୬ ମସିହାରେ ଟ୍ୱିନ ଟାୱାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାଥମିକ ସ୍ତରରେ ୧୪ ମହଲା ବିଶିଷ୍ଟ ଦୁଇଟି ଟାୱାର ନିର୍ମାଣ କରିବାକୁ ସୁପରଟେକକୁ ନୋଏଡା ଉନ୍ନୟନ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ। କିନ୍ତୁ କମ୍ପାନି ଏହାକୁ ଖାତିରି ନକରି ନିଜ ଇଚ୍ଛା ଅନୁସାରେ ନିର୍ମାଣ କାମ ଆରମ୍ଭ କରିଥିଲା। ୧୪ ମହଲା ପାଇଁ ଅନୁମତି ମିଳିଥିବାବେଳେ ନିର୍ମାଣ କାମ ସରିବା ବେଳକୁ ଏହା ୪୦ ମହଲାରେ ପରିଣତ ହୋଇଥିଲା।

ଏହି ବେଆଇନ ନିର୍ମାଣକୁ ନେଇ ୨୦୦୭ ମସିହାରେ ବିବାଦ ଆରମ୍ଭ ହୋଇଥିଲା। ବହୁ ଅପାର୍ଟମେଣ୍ଟ ବାସିନ୍ଦା ଏହାକୁ ବିରୋଧ କରିବା ପରେ କମ୍ପାନି ବିରୋଧରେ ଅହ୍ଲାବାଦ କୋର୍ଟରେ ମାମଲା ରୁଜୁ ହୋଇଥିଲା। କୋର୍ଟ ପକ୍ଷରୁ ଏକ ଯାଞ୍ଚ କମିଟି ବସାଯାଇ ଏହାର ତଦନ୍ତ କରାଯାଇଥିଲା। କମିଟିର ରିପୋର୍ଟ ଆଧାରରେ କୋର୍ଟ ଏହି ବିଶାଳ ଟାୱାରକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ନିର୍ମାଣକାରୀ କମ୍ପାନି ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଥିଲେ ଏବଂ ୨୦୨୨ ଅଗଷ୍ଟ ୨୮ ତାରିଖ ସୁଦ୍ଧା ଟ୍ୱିନ ଟାୱାରକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଦିନ ଟ୍ୱିନ ଟାୱାରକୁ ମାଟିରେ ମିଶାଇ ଦିଆଯାଇଛି।

Tags: #Noida #TwinTower #TwinTowerDemolished #SupremeCourt

Comment