ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ସାଧୁ ହେବା ସହଜ, ସନ୍ନ୍ୟାସ ହେବା କଷ୍ଟ। ପ୍ରତିଟି ମଣିଷ ଭିତରେ ସାଧୁତା ରହିଛି। ଏହାକୁ କେବଳ ଜାଗ୍ରତ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପ୍ରେରଣା ଦରକାର। ପ୍ରେରଣା ନଥିଲେ ସଂସାରରେ କୌଣସି କଥା ଘଟେ ନାହିଁ”, ଗୀତ ଗୋବିନ୍ଦ ସଦନରେ ସୀତାକାନ୍ତ ମହାନ୍ତି ଫାଉେଣ୍ଡସନ ପକ୍ଷରୁ ଆୟୋଜିତ ‘ସତସଙ୍ଗ’ର ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ବାଣୀ-ବକ୍ତବ୍ୟ ଓ ବ୍ୟକ୍ତିତ୍ୱ ଉପରେ ଆଧାରିତ ପୁସ୍ତକ ‘ପ୍ରେରଣା’ର ପାଠକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଥିଲେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର।

ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ଭିତରେ ଥିଲେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ବଶିଷ୍ଟ ଅର୍ଥନୀତିଜ୍ଞ, ସ୍ତମ୍ଭକାର ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ସତସଙ୍ଗର ବରିଷ୍ଠ କର୍ମୀ ଓ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ହୃଷିକେଶ ସେନାପତି।ସୀତାକାନ୍ତ ମହାନ୍ତି ଫାଉଣ୍ଡେସନର ଅଧ୍ୟକ୍ଷ ଧୃତିକାମ ମହାନ୍ତି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ।

‘‘ଆଧୁନିକ ଯୁଗର ପିଲାମାନଙ୍କୁ ସବୁ କଥାରେ ପ୍ରମାଣ ଦରକାର। ସେମାନେ ପ୍ରାମାଣିକ ପ୍ରସଙ୍ଗ ଉପରେ ବିଶ୍ୱାସ କରନ୍ତି। ମନର ଦ୍ୱନ୍ଦ୍ୱ ପାଇଁ ସେମାନେ ଗୁରୁଜନଙ୍କ କଥାକୁ ବି ଗ୍ରହଣ କରନ୍ତି ନାହିଁ। ତେବେ ଅନୁଭବର କଥା ହିଁ ସେମାନଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିପାରେ’’, କହିଥିଲେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ସେହିପରି ପଞ୍ଚାନନ କାନୁନଗୋ କହିଥିଲେ ‘‘ଅନେକଙ୍କ ଅନୁଭବର ସମଷ୍ଟିର ସୃଷ୍ଟି ହେଉଛି ପ୍ରେରଣା। ପ୍ରେରଣା ହେଉଛି ଏକ ଉତ୍ସ।  ନା ତା’ର ଆଦି ଅଛି ନା ଅନ୍ତ।  ଯେଉଁମାନେ ପ୍ରେରଣା ବା ସତ୍‌ଚିନ୍ତନର ଉତ୍ସକୁ ଧାରଣ କରି ସମାଜରେ ଆମ ପାଖରେ ପହଞ୍ଚିଥାନ୍ତି ସେ ହେଉଛନ୍ତି ସଦଗୁରୁ ବା ସଦପୁରୁଷ। ତେଣୁ ପୁସ୍ତକ ‘ପ୍ରେରଣା’ରେ  ସ୍ଥାନିତ ସଦଗୁରୁଙ୍କ ବାର୍ତ୍ତା ସମାଜର ସତଚିନ୍ତନ ଓ ସଦଭାବନାକୁ ଉନ୍ମୋଚିତ କରୁ।’’

ଏହି ଅବସରରେ ସୀତାକାନ୍ତ ମହାନ୍ତିଙ୍କ ସ୍ମୃତିଚାରଣ କରାଯାଇଥିଲା। ସୀତାକାନ୍ତ ମହାନ୍ତି ଆମ ସମୟର ଜଣେ ପ୍ରେରଣାଦାୟୀ ଆଧ୍ୟାତ୍ମିକ ପୁରୁଷ ଥିଲେ ବୋଲି କହିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ସେହିପରି କାର୍ଯ୍ୟକ୍ରମରେ ବର୍ଷୀୟାନ କୃଷି ବୈଜ୍ଞାନିକ ଡକ୍ଟର ଗୋପୀନାଥ ପରିଡ଼ା, ସଂସ୍କୃତ ଭାଷା ବିଶାରଦ, ପ୍ରାବନ୍ଧିକ ଡକ୍ଟର ରବୀନ୍ଦ୍ରନାଥ ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ବଂଶୀଧର କର, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ କୃଷ୍ଣଚନ୍ଦ୍ର ରାୟ, ଉଦୀୟମାନ ଉଦ୍ୟୋଗୀ ତଥା ସ୍ୱାସ୍ଥ୍ୟପ୍ଲସ ନେଟଓ୍ୱର୍କର ସିଇଓ ସିଦ୍ଧାର୍ଥ ରଥଙ୍କୁ ‘ସୀତାକାନ୍ତ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ପ୍ରେରଣା’ର ପ୍ରକାଶକ ତଥା ସୀତାକାନ୍ତ ଫାଉଣ୍ଡେସନର ସାଧାରଣ ସମ୍ପାଦିକା ସୁଧା ମହାନ୍ତି ଉପସ୍ଥିତ ଥିଲେ।

Comment