ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କ ପାଇଁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରାଯାଉଛି। କିନ୍ତୁ କୋରାପୁଟ ଜିଲ୍ଲାର ଅନେକ ସ୍କୁଲ ଆଜି ମଧ୍ୟ ଭଙ୍ଗା ଛାତ ତଳେ ଚାଲିଛି। ଏହାର ଉଦାହରଣ ହେଉଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି.ଜାନିଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ।

ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟଟି ପ୍ରାୟ ୩୦/୪୦ ବର୍ଷ ପୁରୁଣା ହେବ। କିଛି ଶ୍ରେଣୀଗୃହ ଆଜବେଷ୍ଟସ ଓ କିଛି ଛାତ ଘରେ ଚାଲିଛି। ଅଧିକାଂଶ ଶ୍ରେଣୀଗୃହ ଭଙ୍ଗା ଦଦରା ଅବସ୍ଥାରେ ରହିଛି। ତେଣୁ ମାତ୍ର ୪ଟି ଶ୍ରେଣୀ ଗୃହରେ ଚାଲିଛି ୧୦ଟି ଶ୍ରେଣୀର ପାଠପଢ଼ା। ବର୍ଷ ବର୍ଷ ଧରି ଏଭଳି ଭଳି ଭାବେ ଏଠାରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ଏ ନେଇ ଅଭିଭାବକ ଏବଂ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ବର୍ତ୍ତମାନ ପ୍ରାଥମିକ ସ୍କୁଲରେ ୧୬୨ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ହାଇସ୍କୁଲରେ ୪୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବିଦ୍ୟାଳୟରେ ମୋଟ ୨୦୯ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ମାତ୍ର ୪ଟି ଶ୍ରେଣୀଗୃହ ଏବଂ ପାଠପଢ଼ାଇବା ପାଇଁ ରହିଛନ୍ତି ମାତ୍ର ୬ ଜଣ ଶିକ୍ଷକ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଗୃହରେ ବସି ପାଠପଢ଼ୁ ଥିବାବେଳେ ଚତୁର୍ଥ, ପଞ୍ଚମ ଓ ଷଷ୍ଠଶ୍ରେଣୀ ଛାତ୍ରଛାତ୍ରୀ ଗୋଦାମ ଗୃହରେ ବସି ପାଠପଢ଼ୁଛନ୍ତି। ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଗୃହ ରହିଥିବାବେଳେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଗୃହରେ ପାଠପଢ଼ୁଛନ୍ତି। ବର୍ଷା ଦିନରେ ଶ୍ରେଣୀ ଗୃହରେ ପାଣି ଜମୁଥିବାରୁ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାରେ ବସି ପାଠପଢ଼ିବାକୁ ପଡ଼େ। ବର୍ଷା ଦିନେ ଶ୍ରେଣୀଗୃହ ଭୁଶୁଡ଼ିବା ଭୟରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ୁ ନାହାନ୍ତି।  

ବି. ଜାନିଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି। ସୁରକ୍ଷିତ ଶ୍ରେଣୀଗୃହଠାରୁ ଆରମ୍ଭ କରି ଆବଶ୍ୟକ ଶିକ୍ଷକଙ୍କ ଅଭାବ ରହିଛି ଏହି ବିଦ୍ୟାଳୟରେ। ବିଦ୍ୟାଳରରେ ମାତ୍ର ଗୋଟିଏ ଶୌଚାଳୟ ଥିବାରୁ ଛାତ୍ରୀମାନଙ୍କ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଥିବା କିଛି ଛାତ୍ରୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ୧୦୦ରୁ ଅଧିକ ଛାତ୍ରୀ ଥିବା ଆଉ ଗୋଟିଏ ଶୌଚାଳୟ ନିର୍ମାଣ ପାଇଁ ଛାତ୍ରୀମାନେ ଦାବି କରିଛନ୍ତି।

ବି. ଜାନିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୧୧ ମସିହାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଥିଲା। ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ହାଇସ୍କୁଲ ପାଇଁ ଭିତ୍ତିଭୂମି ହୋଇନି। ବିଦ୍ୟାଳୟରେ ରହିଥିବା ସମସ୍ୟା ସମ୍ପର୍କରେ ଅଭିଭାବକ ଏବଂ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଏହି ବିଦ୍ୟାଳୟଟି ସରକାରୀ ଜମିରେ ନଥିବାରୁ ନୂତନ ଗୃହ ନିର୍ମାଣ କରାଯାଉନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତର ମିଳୁଛି। ତୁରନ୍ତ ଛାତ୍ରଛାତ୍ରୀଙ୍କ ଲାଗି ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦାବି କରିଛନ୍ତି।

Tags: #Education #School #HighSchool #Students #ClassRooms

Comment