ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଲା କାନ୍ଦିବା ହେଉ କି ମୟୂରର ରାବ, ବିଲେଇଙ୍କ କଳି ହେଉ କି କୁକୁଡ଼ାର ଡାକ ଏ ସବୁର ଅବିକଳ ନକଲ କରିପାରନ୍ତି କଟକର ଦେବଦତ୍ତ ସାମଲ। ତାଙ୍କର ଏହି ନିଆରା ଅନ୍ଦାଜ ପାଇଁ ତାଙ୍କୁ ସମସ୍ତେ ମିମିକ୍ରି ମ୍ୟାନ ଭାବେ ଜାଣନ୍ତି।

ମିମିକ୍ରି ମ୍ୟାନ ଦେବଦତ୍ତଙ୍କ ଘର କଟକର ହିନ୍ଦଳକୋଠୀ। ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଦେବଦତ୍ତ ବିଭିନ୍ନ ପ୍ରକାର ମିମିକ୍ରି କରି ଲୋକଙ୍କୁ ମନୋରଞ୍ଜନ ଯୋଗାଉଛନ୍ତି। ଏବେ ସେ କଟକର ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି।

ଦେବଦତ୍ତଙ୍କ ପିଲାବେଳୁ ଟିଭିରେ ମିକି ଡୋନାଲ୍ଡ ଦେଖି ମିମିକ୍ରି କରିବା ଆରମ୍ଭ କରିଥିଲେ। କିନ୍ତୁ ସେତେବେଳେ ତାଙ୍କ ବାପା ତାଙ୍କୁ ବାଡ଼େଇଥିଲେ। କାରଣ ତାଙ୍କ ବାପା ସେତେବେଳେ ଏକ କମାରଶାଳ କରିଥିଲେ, ସେ ଚାହୁଁଥିଲେ ଦେବଦତ୍ତ କମାରଶାଳ କାମରେ ଧ୍ୟାନ ଦିଅନ୍ତୁ ଓ ତାଙ୍କୁ ସାହାଯ୍ୟ କରନ୍ତୁ। ହେଲେ ଦେବଦତ୍ତଙ୍କୁ ମିମିକ୍ରି ନିଶା ଏତେ ଘାରି ଥିଲା ଯେ, ସେ ମିମିକ୍ରି ଛାଡ଼ି ପାରିନଥିଲେ।

‘‘ଅବିକଳ ମିମିକ୍ରି କରିବା ପାଇଁ ମୁଁ ପ୍ରଥମେ ସେଇମାନଙ୍କ ପାଖକୁ ଯାଏ, କୁକୁର, ବିଲେଇ, ମୟୂର, ସାନ ସାନ ପିଲା କେମିତି ସ୍ୱର କରନ୍ତି ତାକୁ ଅନୁଧ୍ୟାନ କରେ। ତା’ପରେ ସେଇଭଳି କରିବାକୁ ଚେଷ୍ଟା କରେ। ଲୋକମାନେ ବି ମୋ ମିମିକ୍ରି ଦେଖିବାକୁ ଭଲ ପାଆନ୍ତି’’, ଓଡ଼ିଶାଲାଇଭକୁ ଦେଇଥିବା ସାକ୍ଷାତକାରେ ଏଭଳି କହିଛନ୍ତି ମିମିକ୍ରି ମ୍ୟାନ ଦେବଦତ୍ତ।

ସେ ଆହୁରି ଏକ ମଜାଳିଆ ଅନୁଭୂତି ବାଣ୍ଟି କହନ୍ତି, ‘‘ଗୁପଚୁପ୍ ବାଲା ପାଖରେ ଯେତେବେଳେ ମହିଳାମାନେ ଭିଡ଼ କରି ଛିଡ଼ା ହୋଇଥାନ୍ତି, ମୁଁ ସେତେବେଳେ ବିଲେଇ କଳିର ସ୍ୱର କରିଦିଏ। ସେମାନେ ଡରକି ଦୂରେଇ ଗଲେ ମୁଁ ଆଗରେ ଛିଡ଼ା ହୋଇ ଗୁପଚୁପ୍ ଖାଇଦିଏ’’,

କେବଳ ସେତିକି ନୁହେଁ, ୫୨ ବର୍ଷୀୟ ଦେବଦତ୍ତଙ୍କ ନାଟକ, ଅଭିନୟ ପ୍ରତି ବେଶ ରୁଚି ରହିଛି। ଅତୀତରେ ସେ ଦୂରଦର୍ଶନରେ ‘ଏଇ ତ ଜୀବନ’ ଏକ ସିରିଏଲରେ ଅଭିନୟ କରିଥିଲେ। ଆଗାମୀ ଦିନରେ ସେ ସୁକୁମାର ମଣିଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ନଜର ଆସିବେ।

ନିଜେ ଦୁଃଖରେ ଥାଇ ଅନ୍ୟକୁ ସବୁବେଳେ ହସାଉଥିବର ଦେବଦତ୍ତ  ଆଜି ବି ନିଜର ପରିବାର ଲାଗି ସଂଘର୍ଷ କରୁଛନ୍ତି ଦେବଦତ୍ତ। ପାଖରେ ନାହିଁ ସମ୍ବଳ କିନ୍ତୁ ଅଛି ଅନେକ ସ୍ୱପ୍ନ। ସେଇଥିପାଇଁ ତ ସେ କହନ୍ତି, ‘‘କଳାକାର ସବୁବେଳେ ଅନ୍ୟକୁ ହସାଏ। କିନ୍ତୁ ନିଜେ କବାଟ କଣରେ କାନ୍ଦେ। ଏକଥା ମୁଁ ଅଙ୍ଗେ ନିଭାଇ ଆସିଛି’’।

Tags: #Entertainment #MimicryMan #Mimicry #Comedy #Odisha

Comment