ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଛି। ତଥାପି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବଦଳରେ ଜବାହରଲାଲ ନେହେରୁଙ୍କୁ ମହାତ୍ମା ଗାନ୍ଧୀ କାହିଁକି ବାଛିଥିଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ। ଗାନ୍ଧିଜୀ କଂଗ୍ରେସର ଅନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରି ନଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ। ତେଣୁ ଗାନ୍ଧିଜୀ ନେହେରୁଙ୍କ ପାଇଁ ନିଜ ବିଶ୍ଵସ୍ତ  ସାଥୀ ସର୍ଦ୍ଦାର ପଟେଲଙ୍କ ବଳିଦାନ ଦେଇଛନ୍ତି ବୋଲି ରାଜେନ୍ଦ୍ର ପ୍ରସାଦଙ୍କ ଭଳି କିଛି କଂଗ୍ରେସ ନେତାମାନେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ।

ଦେଶକୁ ସ୍ଵାଧୀନତା ମିଳିବା ବେଳକୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବୟସ ୭୧ ବର୍ଷ ଏବଂ ଜବାହରଲାଲ ନେହେରୁଙ୍କୁ ବୟସ ୫୬ ବର୍ଷ ହୋଇଥିଲା। ସେତେବେଳେ ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥାଏ। କଂଗ୍ରେସ ସର୍ଦ୍ଦାର ପଟେଲଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲା। କିନ୍ତୁ ଗାନ୍ଧିଜୀ ନେହେରୁଙ୍କୁ ବାଛିଥିଲେ।

ଗାନ୍ଧିଜୀଙ୍କ ସହ ନେହେରୁ ଓ ପଟେଲଙ୍କ ସମ୍ପର୍କ

ବିଟ୍ରିଶ ଶାସନର ଅନ୍ତିମ ବର୍ଷ ରାଜନୀତି ଏବଂ ଗାନ୍ଧିଜୀଙ୍କ ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଜବାହରଲାଲ ନେହେରୁଙ୍କ ସମ୍ପର୍କକୁ ବିଚାରକୁ ନେଲେ ଅନେକ ରୋଚକ ତଥ୍ୟ ସାମନାକୁ ଆସିବ। ସର୍ଦ୍ଦାର ପଟେଲଙ୍କ ସହିତ ମହାତ୍ମା ଗାନ୍ଧୀଙ୍କର ସାକ୍ଷାତ ନେହେରୁଙ୍କ ପୂର୍ବରୁ ହୋଇଥିଲା। ସର୍ଦ୍ଦାର ପଟେଲ ଏବଂ ଗାନ୍ଧୀଙ୍କ ମଧ୍ୟରେ ୫/୬ ବର୍ଷ ବୟସର ତାରତମ୍ୟ ଥିଲା।  ନେହେରୁ କିନ୍ତୁ ପଟେଲଙ୍କଠାରୁ ୧୪/୧୫ ବର୍ଷ ସାନ ଥିଲେ। ତେଣୁ ପଟେଲ ଓ ଗାନ୍ଧୀଙ୍କ ମଧ୍ୟରେ ଅପେକ୍ଷାକୃତ ଅଧିକ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ରହିଆସିଥିଲା।

ପଟେଲ ଲଣ୍ଡନସ୍ଥିତ ମିଡିଲ ଟେମ୍ପଲ ଲ’ କଲେଜରୁ ଓକିଲାତିରେ ଡିଗ୍ରୀ ହାସଲ କରିଥିଲେ। ଏଠାରେ ଗାନ୍ଧିଜୀ, ମହମ୍ମଦ ଅଲ୍ଲୀ ଜିନ୍ନା, ତାଙ୍କ ବଡ଼ ଭାଇ ବିଠଲ୍ ପଟେଲ ଓ ନେହେରୁ ମଧ୍ୟ ଡିଗ୍ରୀ ହାସଲ କରିଥିଲେ।

ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିବା ତାଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଥିଲା। ସେତେବେଳେ ଗାନ୍ଧିଜୀଙ୍କୁ ଅନେକ ଲୋକ ମହାତ୍ମା ବୋଲି ସମ୍ବୋଧନ କରୁଥିଲେ। କିନ୍ତୁ ସର୍ଦ୍ଦାର ପଟେଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ସେ ଭାବୁଥିଲେ ଭାରତରେ ପୂର୍ବରୁ ହିଁ ଅନେକ ମହାତ୍ମା ଅଛନ୍ତି। ଗାନ୍ଧିଜୀ ଲୋକଙ୍କୁ ବ୍ରହ୍ମଚର୍ଯ୍ୟର ଶିକ୍ଷାଦେବା ଅର୍ଥ କାଲା ଆଗରେ ମୂଳା ଚୋବାଇବା ସଦୃଶ ବୋଲି ପଟେଲ ଭାବୁଥିଲେ।

Ironman of India - Sardar Vallabhbhai Patel

ପଟେଲ ପ୍ରଥମ ଥର ପାଇଁ ୧୯୧୬ ମସିହାରେ ଗୁଜୁରାଟ କ୍ଲବରେ ଗାନ୍ଧୀଙ୍କୁ ଭେଟିଥିଲେ। ପଟେଲଙ୍କ ଓକିଲ ବନ୍ଧୁ ଗଣେଶ ମାଓଲଙ୍କର ଗାନ୍ଧିଜୀଙ୍କ ଦ୍ଵାରା ବେଶ୍ ପ୍ରଭାବିତ ଥିଲେ। ଗାନ୍ଧିଜୀଙ୍କ ଆଗମନକୁ ନେଇ ପଟେଲ ତାଙ୍କ ଓକିଲ ବନ୍ଧୁଙ୍କୁ ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଗାନ୍ଧିଜୀଙ୍କ ପ୍ରତି ଥିବା ପଟେଲଙ୍କ ଧାରଣା ବଦଳିଯାଇଥିଲା।

ଚମ୍ପାରଣରେ ଗାନ୍ଧୀଙ୍କ ଯାଦୁର ପ୍ରଭାବ ପଟେଲଙ୍କ ଉପରେ ପଡ଼ିଥିଲା। ପରେ ସେ ଗାନ୍ଧୀଙ୍କ ସହ ଯୋଡ଼ି ହୋଇଯାଇଥିଲେ। ଖେଡ଼ା ଆନ୍ଦୋଳନ ସମୟରେ ସେ ଗାନ୍ଧିଜୀଙ୍କର ଅଧିକ ନିକଟତର ହୋଇପାରିଥିଲେ। ଅସହଯୋଗ ଆନ୍ଦୋଳ ସମୟରେ ପଟେଲ ଓକିଲାତି ଛାଡ଼ି ଗାନ୍ଧିଭକ୍ତ ପାଲଟିଯାଇଥିଲେ।

୧୯୨୮ ମସିହା ବାରଦୋଳି ସତ୍ୟାଗ୍ରହରେ ସର୍ଦ୍ଦାର ପଟେଲ ସମଗ୍ର ଦେଶରେ ପରିଚିତ ହୋଇଯାଇଥିଲେ। ଏହି ବିଶାଳ ଚାଷୀ ଆନ୍ଦୋଳନ ପ୍ରଭାବରେ ପ୍ରାନ୍ତୀୟ ସରକାର କୃଷକମାନଙ୍କ ଆୟରେ ୩୦ ପ୍ରତିଶତ ବୃଦ୍ଧି କରିଥିଲେ। ପଟେଲ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିବାବେଳେ ବ୍ରିଟିଶ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା। ଏହି ଆନ୍ଦୋଳନ ପରେ ଗୁଜୁରାଟର ମହିଳାମାନେ ବଲ୍ଲଭ ଭାଇଙ୍କୁ ସର୍ଦ୍ଦାର ଉପାଧି ଦେଇଥିଲେ।

ନେହେରୁ-ପଟେଲ ଓ କଂଗ୍ରେସ ଅଧ୍ୟକ୍ଷ ପଦ

୧୯୩୧ରେ କଂଗ୍ରେସର କରାଚି ଅଧିବେଶନରେ ବଲ୍ଲଭ ଭାଇ ପଟେଲ ପ୍ରଥମ ଓ ଶେଷଥର ପାଇଁ କଂଗ୍ରେସର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏହି ସମୟରେ ସେ ସାରା ଦେଶରେ ସର୍ଦ୍ଦାର ଭାବେ ପରିଚିତ ହୋଇଥିଲେ। ଅନ୍ୟପଟେ  ଦେଶ ସ୍ଵାଧୀନ ହେବାର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ୧୯୪୬ ବ୍ରିଟେନ୍ ସରକାର ଭାରତକୁ ଏକ ପ୍ରକାର ମୁକ୍ତ କରିଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ମଧ୍ୟ ସ୍ଥିର ହୋଇସାରିଥିଲା।

୧୯୪୬ ମସିହାରେ ମୌଲାନା ଅବୁଲ କଲାମ ଆଜାଦ କଂଗ୍ରେସର ଅଧ୍ୟକ୍ଷ ଥିଲେ। ସେ ୬ ବର୍ଷ ଧରି ଏହି ପଦବୀରେ ରହିଥିଲେ। ମୌଲାନା ଆଜାଦଙ୍କର ପଦବୀରୁ ଅବସର ନେବାର ସମୟ ଆସିଯାଇଥିଲା। ମୌଲାନା ଆଜାଦ ଅବସର ନେବା ପରେ ଦେଶର ଭାର ଜବାହରଲାଲ ନେହେରୁଙ୍କୁ ଦେବା ଲାଗି ମନସ୍ଥ କରିସାରିଥିଲେ ଗାନ୍ଧିଜୀ।

ଏପ୍ରିଲ ୧୯୪୬ ମସିହା ଏପ୍ରିଲ ୨୦ ତାରିଖରେ ଗାନ୍ଧିଜୀ ମୌଲାନା ଆଜାଦଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଆଜାଦ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଚାହଁଥିବା ବକ୍ତବ୍ୟ ଜାରି କରିବାକୁ କୁହାଯାଇଥିଲା। ଏହା ସହ ଯଦି ତାଙ୍କୁ ନୂତନ ଅଧ୍ୟକ୍ଷ ଚୟନ ପାଇଁ ରାୟ ଦେବାକୁ କୁହାଯାଏ, ସେ ନେହେରୁଙ୍କୁ ବାଛିବେ ବୋଲି ସ୍ପଷ୍ଟ କରିଥିଲେ।

୧୯୪୬ ମସିହା ଏପ୍ରିଲ ୩୦ ତାରିଖରୁ ଦଳୀୟ ବୈଠକରେ ନୂଆ ଅଧ୍ୟକ୍ଷ ଚୟନ କରାଯିବାର ଥିଲା। ଏହି ବୈଠକରେ ନେହେରୁ, ସର୍ଦ୍ଦାର ପଟେଲ, ଆଚାର୍ଯ୍ୟ ଜେ ଭି କୃପଳାନୀ ଏବଂ ରାଜେନ୍ଦ୍ର ପ୍ରସାଦଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ଥିଲେ।

କଂଗ୍ରେସ ଅଧ୍ୟକ୍ଷ ଚୟନ ସମ୍ପର୍କିତ ବୈଠକରେ ଉପସ୍ଥିତ ସମସ୍ତ ନେତା ଜାଣିଥିଲେ ଯେ, ଗାନ୍ଧିଜୀ ଜବାହରଲାଲ ନେହେରଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛନ୍ତି। ତଥାପି ବୈଠକରେ ୧୨ଟି କମିଟି ସର୍ଦ୍ଦାର ପଟେଲଙ୍କ ନାମ ସୁପାରିଶ କରିଥିଲେ। ବାକି ତିନିଟି କମିଟି ପକ୍ଷରୁ ଆଚାର୍ଯ୍ୟ ଜେ ଭି କୃପଳାନୀ ଏବଂ ପଟ୍ଟାଭି ସୀତାରମୟାଙ୍କ ନାମ ସୁପାରିଶ କରିଥିଲେ। କିନ୍ତୁ କେହି ଜଣେ ବି ନେହେରୁଙ୍କ ନାମ ସୁପାରିଶ କରିନଥିଲେ।

ପାର୍ଟିର ମହାସଚିବ କୃପଳାନୀ ପିସିସି ଚୟନ ଚିଠା ଗାନ୍ଧିଜୀଙ୍କ ଆଡ଼କୁ ବଢ଼ାଇଥିଲେ। କିନ୍ତୁ ଗାନ୍ଧିଜୀଙ୍କ ଇସାରାରେ ସେ ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ଓ ଶେଷରେ ନେହେରୁଙ୍କ ନାମ ସୁପାରିଶ କରିଥିଲେ।

୪ଥର ନାମାଙ୍କନ ପ୍ରତ୍ୟାହାର କରିଥିଲେ ସର୍ଦ୍ଦାର ପଟେଲ

୧୯୪୬ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନେହେରୁ ନିର୍ଦ୍ଵନ୍ଦ୍ଵରେ ବିଜୟୀ ହେବା ପାଇଁ ସର୍ଦ୍ଦାର ପଟେଲ ନାମାଙ୍କନ ପ୍ରତ୍ୟାହର ଜରୁରୀ ଥିଲା। କିନ୍ତୁ ସର୍ଦ୍ଦାର ସେପରି କଲେ ନାହିଁ। ସେହି ସମୟରେ ନେହେରୁଙ୍କୁ ଗାନ୍ଧିଜୀ କହିଥିଲେ କେବଳ କାର୍ଯ୍ୟକାରିଣୀ କିମିଟିକୁ ବାଦ୍ ଦେଲେ କୌଣସି ପ୍ରାନ୍ତୀୟ କମିଟି ନେହେରୁଙ୍କ ସହ ନାହାନ୍ତି। ତଥାପି ନେହେରୁ ପଛଘୁଞ୍ଚା ଦେଇନଥିଲେ। ବର୍ତ୍ତମାନ ଶେଷ ନିଷ୍ପତ୍ତି ଗାନ୍ଧିଜୀଙ୍କୁ ନେବାର ଥିଲା।

ସେ ନାମାଙ୍କନ ପ୍ରତ୍ୟାହର ପତ୍ର ପଟେଲଙ୍କ ଆଡ଼କୁ ପୁନର୍ବାର ବଢ଼ାଇଥିଲେ। ଏଥର କିନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରତ୍ୟାହାର ପତ୍ରରେ ଦସ୍ତଖତ କରିଦେଇଥିଲେ। ଫଳସ୍ଵରୂପ ନେହେରୁ ନିର୍ଦ୍ଵନ୍ଦ୍ଵରେ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

ତେବେ ୧୯୪୬ରେ ପତ୍ର ସର୍ଦ୍ଦାର ପଟେଲ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଚତୁର୍ଥଥର ପ୍ରତ୍ୟାହାର କରିଥିଲେ। ପୂର୍ବରୁ ୧୯୨୯, ୧୯୩୬ ଏବଂ ୧୯୩୯ ମସିହାରେ ଗାନ୍ଧିଜୀଙ୍କ କହିବା ଅନୁସାରେ ପଟେଲଙ୍କୁ ଅଧ୍ୟକ୍ଷପଦ ପାଇଁ କରିଥିବା ନାମାଙ୍କନ ପ୍ରତ୍ୟାହାର କରିବାକୁ ପଡ଼ିଥିଲା।

କୃପଳାନୀ ତାଙ୍କ ରଚିତ ପୁସ୍ତକ ‘ଗାନ୍ଧୀ, ହିଜ୍ ଲାଇଫ୍ ଆଣ୍ଡ ଥଟ୍ସ୍’ ରେ ଏନେଇ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, “ମୋର ଏପରି ହସ୍ତକ୍ଷେପ କରିବା ପଟେଲଙ୍କୁ ଭଲ ଲାଗି ନଥିଲା। ଦଳର ମହାସଚିବ ହୋଇଥିବାରୁ ଗାନ୍ଧିଜୀଙ୍କ କଥାକୁ ଏକ ମେସିନ ଭଳି ପାଳନ କରୁଥିଲି। ସେତେବେବେଳେ ଏହା ମୋତେ କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟ ମନେ ହୋଇନଥିଲା। କେବଳ ଅଧ୍ୟକ୍ଷ ନିର୍ବାଚନ ହେବା କୌଣସି ବଡ଼ କଥା ନୁହେଁ ବୋଲି ବିଚାର କରିଥିଲି।”

ଭିନ୍ନ ରାସ୍ତା -ସମାନ ଲକ୍ଷ୍ୟରେ ନେହେରୁ ଓ ପଟେଲ 

ସର୍ଦ୍ଦାରଙ୍କ ସ୍ଥାନରେ ନେହେରୁଙ୍କୁ ଗାନ୍ଧିଜୀ କାହିଁକି ବାଛିଥିଲେ ତାହାର ଉତ୍ତର କାହା ପାଖରେ ନଥିଲା। ତେବେ ପତ୍ରକାର ଦୁର୍ଗାଦାସ ଏନେଇ ଗାନ୍ଧିଜୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଗାନ୍ଧିଜୀ କହିଥିଲେ ଯେ, “ନେହେରୁ  ଇଂରାଜୀ ଭାଷାରେ ଦକ୍ଷ। ତେଣୁ ପଟେଲ ରାଷ୍ଟ୍ର ଭାର ନେବେ ଏବଂ ନେହେରୁ ଅନ୍ତରାଷ୍ଟ୍ରୀୟସ୍ତରରେ ଦେଶ ପାଇଁ କାମ କରିବେ। ଗୋଟିଏ ଶଗଡ଼କୁ ଦୁଇଜଣ ବଳଦ ବେଶ୍ ଭଲ ଭାବେରେ ଟାଣିପାରିବେ।”

ସେହିପରି ନେହେରୁ କଦାପି ଦ୍ଵିତୀୟ ସ୍ଥାନରେ ରହିବାକୁ ଚାହୁଁନଥିଲେ ଏବଂ ପଟେଲଙ୍କୁ ଦ୍ଵିତୀୟ ସ୍ଥାନରେ ରହିବାରେ କୌଣସି ସମସ୍ୟା ନଥିଲା। କିନ୍ତୁ ପରେ ତିନିଜଣଙ୍କ ମଧ୍ୟରେ ସମ୍ପର୍କ ସ୍ଵାଭାବିକ ହୋଇଯାଇଥିଲା। ଲଣ୍ଡନରେ ଘରେ ଘରେ ନେହେରୁଙ୍କ ଚର୍ଚ୍ଚା ଚାଲିଥାଏ। ଇଂରେଜ ଅଫିସରମାନେ ନେହେରୁଙ୍କ ଭଲ ବନ୍ଧୁ ମଧ୍ୟ ଥିଲେ। ନେହେରୁ ଉଦାର ଏବଂ ମେଳାପୀ ସ୍ଵଭାବର ଥିବାରୁ ସହଜରେ ସମସ୍ତଙ୍କ ସହ ମିଶି ଯାଉଥିଲେ। ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ଦକ୍ଷ ଥିଲେ ଜବାହରଲାଲ ନେହେରୁ।

ଜବାହାରଲାଲ ନେହେରୁ ସମାଜବାଦର ରକ୍ଷକ ଥିଲେ। ସେ ଭଲ ବକ୍ତା ମଧ୍ୟ ଥିଲେ। ନେହେରୁ ଆବଶ୍ୟକତାଠାରୁ ଅଧିକ କଳ୍ପନାଶୀଳ ଥିଲେ। ସର୍ଦ୍ଦାର ପଟେଲ ସ୍ଵଭାବରେ କଠୋର ଥିବାରୁ ତାଙ୍କ ରୋକଠୋକ କଥା ପାଇଁ ତାଙ୍କୁ ମୁସଲମାନେ ନାପସନ୍ଦ କରିବାକୁ ଲାଗିଥିଲେ। ନେହେରୁ ଆଧୁନିକ ଭାରତ ଏବଂ ଧର୍ମ ନିରପେକ୍ଷ ରାଷ୍ଟ୍ରର ସ୍ଵପ୍ନ ଦେଖୁଥିବାବେଳେ ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ହିତକୁ ସର୍ବୋଚ୍ଚରେ ରଖୁଥିଲେ।

ସେପଟେ କଂଗ୍ରେସ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ଵାଧୀନ ‘ମୁସଲିମ ଲିଗ’ ଉଭୟ କ୍ୟାବିନେଟ ମିଶନର ଯୋଜନାକୁ ଗ୍ରହଣ କରିଥିଲେ। ସରକାର ଗଠନ ହେବାର ଥିଲା ଏବଂ ଏଥିରେ ଉଭୟଙ୍କ ପ୍ରତିନିଧି ସାମିଲ ହେବାର ଥିଲା। ଦେଶରୁ ବିଭାଜନ ଦୂର ହେବାକୁ ଯାଉଥିଲା। ଏହାରି ମଧ୍ୟରେ ୧୯୪୬ ମସିହା ଜୁଲାଇ ୭ ତାରିଖରେ ନେହେରୁ କଂଗ୍ରେସ କମିଟି ବୈଠକରେ କଂଗ୍ରେସ ଯୋଜନା ସମ୍ପର୍କରେ କହିଥିଲେ।

ଦେଶ ସ୍ଵାଧୀନ ହେବା ପୂର୍ବରୁ ସାମ୍ପ୍ରଦାୟିକ ଭାବେ ଦେଶକୁ ବିଭାଜିତ କରିବାର ସ୍ଥିତି ସୃଷ୍ଟି ହୋଇଥିଲା। ମୁସଲମାନ ବହୁଳ ଅଞ୍ଚଳକୁ ନେଇ ପାକିସ୍ତାନ ନାମରେ ଏକ ସ୍ଵତନ୍ତ୍ର ତଥା ନୂତନ ଦେଶ ଗଠନ ଲାଗି ଚାପ ପ୍ରୟୋଗ କରିଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ଵାଧୀନ ‘ମୁସଲିମ ଲିଗ’। ପରେ ଦେଶ ବିଭାଜିତ ହେବାରେ ସହମତି ପ୍ରକାଶ କରିଥିଲେ ବ୍ରିଟିଶ ସରକାର। ଅଖଣ୍ଡ ଭାରତର ଉତ୍ତର-ପଶ୍ଚିମକୁ ପାକିସ୍ତାନ ଭାବେ ନାମିତ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଦେଶ ବିଭାଜନ ହେବା ସମୟରେ ମୁସଲିମ ସମ୍ପ୍ରଦାୟ ପାକିସ୍ତାନ ଚାଲିଯିବାବେଳେ ସେଠାରେ ଥିବା କିଛି ହିନ୍ଦୁ ଭାରତ ଫେରିଥିଲେ। କିନ୍ତୁ ଏହି ବିଭାଜନ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ରହଥିଲା। ଅସ୍ଥିରତା, ଅରାଜତକତା ଏବଂ ଦଙ୍ଗାରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଦଙ୍ଗା ଭୟଙ୍କର ରୂପ ନେବାକୁ ଲାଗିଥିଲା। ଏହାରି ମଧ୍ୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ହିନ୍ଦୁତ୍ଵ ମନୋଭାବ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ୧୯୪୬ ମସିହା ନଭେମ୍ବର ୨୩ ତାରିଖରେ କଂଗ୍ରେସ ଅଧିବେଶନରେ ପଟେଲ କହିଥିଲେ, “ପ୍ରତାରଣା କରି ପାକିସ୍ତାନ ନେବା କଥା ଚିନ୍ତା କରନି। ଖଣ୍ଡାର ଜବାବ ଖଣ୍ଡାରେ ହିଁ ଦିଆଯିବ।”

ପଟେଲଙ୍କର ଏହି ଚିନ୍ତାଧାରା ଗାନ୍ଧିଜୀଙ୍କ ଅହିଂସା ନୀତିର ସମ୍ପୂର୍ଣ୍ଣ ବିପରୀତ ଥିଲା। ଏହାପରେ ସେ ସର୍ଦ୍ଦାର ପଟେଲଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ। ୧୯୪୨ ମସିହାରେ ଗାନ୍ଧିଜୀ ଜବାହରଲାଲ ନେହେରୁଙ୍କୁ ତାଙ୍କ ଉତ୍ତରାଧକାରୀ ଘୋଷଣା କରିସାରିଥିଲେ। ଏ ନେଇ ଗାନ୍ଧିଜୀ କହିଥିଲେ, “ଜବାହରଲାଲ ମୋ ଭାଷା ବୁଝନ୍ତିନି କି ମୁଁ ତାଙ୍କ ଭାଷା ବୁଝେନି। କିନ୍ତୁ ମୋ ଅନୁପସ୍ଥିତିରେ ସେ ମୋ ଭାଷା ହିଁ କହିବେ।”

ଗାନ୍ଧିଜୀ ସର୍ଦ୍ଦାର ପଟେଲଙ୍କ ଚିନ୍ତାଧାରାକୁ ନାପସନ୍ଦ କରୁଥିଲେ ମଧ୍ୟ ତାଙ୍କ ପ୍ରତି ଗାନ୍ଧିଜୀଙ୍କ ମନରେ ଶ୍ରଦ୍ଧାର ଊଣା ନଥିଲା।

Tags: #MahatamaGandhi #SarddarBallavbhaiPatel #JawaharLaLNeheru #firstPrimeministerIndia #IndependentIndia #Congress #Bapu #IndianPolitics

Comment