ଓଡ଼ିଶାଲାଇଭ୍ବ୍ୟୁରୋ

ପିଏମ-ଶ୍ରୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଯୋଜନାରେ ଦେଶର ମୋଟ ୧୪,୫୦୦ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟର ଉନ୍ନତିକରଣ କରାଯିବ। ୨୦୨୨ରୁ ୨୦୨୭ ମସିହା ୫ ବର୍ଷ ମଧ୍ୟରେ ଏଥିପାଇଁ କୋଟି ୨୭,୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପିଏମ-ଶ୍ରୀ ଯୋଜନାରେ ଉପକୃତ ହେବେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ। ନୂଆ ଶିକ୍ଷା ନୀତି ଅନ୍ତର୍ଗତ ଏହି ଯୋଜନା କାର୍ଯ୍ୟାକାରୀ କରାଯିବ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଥିବା କହିଛନ୍ତି।

ଶିକ୍ଷାମନ୍ତ୍ରୀଙ୍କ ସୂଚନା ଅନୁସାରେ ପିଏମ-ଶ୍ରୀ ସ୍କୁଲ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟକୁ ପୂରଣ କରିବ। ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ ଶ୍ରୀ ରହିବ। ପ୍ରଥମ ଥର ଲାଗି ଡିବିଟିରେ ସ୍କୁଲକୁ ଟଙ୍କା ଯିବ। ସ୍ଥାନୀୟ କମିଟି ସ୍କୁଲର ଭିତ୍ତିଭୂମି ବିକାଶ ଲାଗି ଆସିଥିବା ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚର ଦାୟିତ୍ଵ ନେବେ। ବିଦ୍ୟା ସମୀକ୍ଷା କେନ୍ଦ୍ର ଦ୍ଵାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପ୍ରଦର୍ଶନର ମୂଲ୍ୟାଙ୍କନ କରାଯିବ। ଗ୍ରୀନ ସ୍କୁଲ କଳ୍ପନାରେ ନିର୍ମାର ହେବ ପିଏମ ଶ୍ରୀ ସ୍କୁଲ। ଏହି ଯୋଜନାରେ ଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ।

ଏହା ପୂର୍ବରୁ ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ(ପିଏ-ଶ୍ରୀ) ଯୋଜନାର ଘୋଷଣା କରିଥିଲେ। ଏହା ଅନ୍ତର୍ଗତ ଦେଶର ମୋଟ ୧୪,୫୦୦ ସ୍କୁଲର ଉନ୍ନତିକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ପିଏମ-ଶ୍ରୀ ସ୍କୁଲଗୁଡ଼ିକରେ ବୈଷୟିକ ଜ୍ଞାନକୌଶଳରେ ବିକାଶ ହେବା ସହ ସ୍ମାର୍ଟ କ୍ଲାସର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ଲାଗି ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରିବା ଉପରେ ଗୁରୁତ୍ଵ ଦିଆଯିବ। ପିଲାମାନଙ୍କୁ ଆଧୁନିକ ଏବଂ ଉନ୍ନତମାନର ଶିକ୍ଷା ଯୋଗାଇବା ଲାଗି ଏହା ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Tags: #PMShreeSchool #SchoolForRisingIndia #School #CabinetMeeting #SmartClass #DharmendraPradhan #PMNarendraModi

LEAVE A REPLY

Please enter your comment!
Please enter your name here