ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ଗୁରୁବାର ‘ବିଶ୍ୱ ଫିଜିଓଥେରାପି ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ଅଫ୍‌ ଆଲାଏଡ୍‌ ହେଲ୍‌ଥ ସାଇନ୍ସେସ୍‌ ଅଧୀନରେ ଥିବା ଫିଜିଓଥେରାପି ବିଭାଗ ପକ୍ଷରୁ ଏକ ମାଗଣା ଫିଜିଓଥେରାପି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ବ୍ୟକ୍ତିଙ୍କୁ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଫିଜିଓଥେରାପି ସେବା ଯୋଗାଇ ଦେଇଥିଲେ। ଏହାସହିତ ଘରେ କେମିତି ବିଭିନ୍ନ ବ୍ୟାୟାମ କରି ଯନ୍ତ୍ରଣାରୁ ଉପଶମ ପାଇ ହେବ ସେନେଇ ମଧ୍ୟ ପରାମର୍ଶ ଦେଇଥିଲେ।

ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ‘ପ୍ରିଭେନସନ୍‌ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍‌ ଅଷ୍ଟିଓଆର୍ଥ୍ରାଇଟିସ୍’କୁ ଥିମ୍‌ ଭାବେ ନିଆଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ଏହି ଶିବିରକୁ ଉଦଘାଟନ କରି କହିଥିଲେ, ‘‘ଆଜିର ଦିନରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅଷ୍ଟିଓଆର୍ଥ୍ରାଇଟିସ୍ ଏକ ଗମ୍ଭୀର ସମସ୍ୟା ଭାବେ ଦେଖାଯାଇଛି। ବୃଦ୍ଧ, ଯୁବକ ଆଦି ବିଭିନ୍ନ ବର୍ଗଙ୍କଠାରେ ଗଣ୍ଠି ବା ଖଞ୍ଜା ସ୍ଥାନରେ ବିନ୍ଧିବା, ଫୁଲିବା ଭଳି ସମସ୍ୟା ଦେଖାଯାଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ନିୟମିତ ଫିଜିଓଥେରାପି ଓ ବ୍ୟାୟାମର ଆବଶ୍ୟକତା ରହିଛି। ତେଣୁ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଫିଜିଓଥେରାପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁଯାଉଛି। ତେଣୁ ଏ ଦିଗରେ ଲୋକଙ୍କୁ ସଚେତନ କରିବା ଲାଗି ଆମେ ଏହି ମାଗଣା ଫିଜିଓଥେରାପି ଶିବିରର ଆୟୋଜନ କରିଛୁ।’’

ବୟସାଧିକଜନିତ ଆଣ୍ଠୁ ବ୍ୟଥା, ମେରୁଦଣ୍ଡ ସମସ୍ୟା, ପାରାଲିସିସ୍‌, କାନ୍ଧ ବେକ ଯନ୍ତ୍ରଣା, ମାଂସପେଶୀ ସମସ୍ୟା, ଅପରେସନ ପରବର୍ତ୍ତୀ ସମସ୍ୟା, ସ୍ନାୟୁଜନିତ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନଙ୍କ ପାଇଁ ଫିଜିଓଥେରାପି ଭଳି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି। ଏଭଳି ବିଭିନ୍ନ ସମସ୍ୟାରୁ ସୁସ୍ଥ ହେବାରେ ଫିଜିଓଥେରାପି ସହାୟକ ହୋଇପାରୁଛି।

ଫିଜିଓଥେରାପି ସେବାର ଆବଶ୍ୟକତା ବଢ଼ିବା ସହିତ ଆଜିର ଦିନରେ ଏ ସମ୍ପର୍କିତ ପାଠ୍ୟକ୍ରମରେ ଚାହିଦା ବଢ଼ିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆଲାଏଡ୍ ହେଲ୍‌ଥ ସାଇନ୍ସେସ୍‌ ଅଧୀନରେ ମାଷ୍ଟର ଅଫ୍‌ ଫିଜିଓଥେରାପି (ଏମପିଟି), ଇଣ୍ଟିଗ୍ରେଟେଡ୍‌ ମାଷ୍ଟର ଅଫ୍‌ ଫିଜିଓଥେରାପି, (ଆଇଏମପିଟି), ବ୍ୟାଚ୍‌ଲର ଅଫ ଫିଜିଓଥେରାପି (ବିପିଟି) ପିଏଚଡି ଇନ୍‌ ଫିଜିଓଥେରାପି କୋର୍ସ ରହିଛି।

ଏହି କୋର୍ସରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପିକାଙ୍କଠାରୁ ଶିକ୍ଷା ଗ୍ରହଣ କରି  ଓ ପ୍ରାକ୍ଟିକାଲ୍‌ର ସୁଯୋଗ ନେଇ ଫିଜିଓଥେରାପି କ୍ଷେତ୍ରରେ ଭଲ କ୍ୟାରିୟର କରିପାରିବେ।

Tags: #Education #Health #AIPHUniversity #WorldPhysiotherapyDay

Comment