ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଅଜଣା ରୋଗରେ ସପ୍ତାହକ ମଧ୍ୟରେ ତିନି ଜଣକର ମୃତ୍ୟୁ ଘଟିଛି। ଏହାକୁ ନେଇ ଏବେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର କାଣ୍ଡିକିଗୁଡ଼ା ଗ୍ରାମରେ। ଏକ ସପ୍ତାହ ମଧ୍ୟରେ କାଣ୍ଡିକିଗୁଡ଼ା ଗ୍ରାମର ତିନି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରୋଗ ଚିହ୍ନଟ ହୋଇପାରି ନାହିଁ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରୋଗୀର ଗୋଡ଼, ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ରୋଗୀ ଶଯ୍ୟାଶାୟୀ ହୋଇପଡୁଛି। ୧୫ରୁ ୨୦ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ହେଉଛି। ଗତ ସପ୍ତାହକ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଜଣେ ରୋଗୀକୁ ପ୍ରଥମେ ରାମଗିରି ଏବଂ ପରେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ମଧ୍ୟ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଅଘଟଣ ପରେ ଶନିବାର ଦିନ ରାମଗିରିରୁ ଏକ ଡାକ୍ତରୀ ଦଳ କାଣ୍ଡିକିଗୁଡ଼ା ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଲୋକଙ୍କୁ ଭେଟିବା ପରେ ଆଉ ଗ୍ରାମର ଆଉ ଦୁଇଜଣ ରୋଗୀଙ୍କୁ ରାମଗିରି ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଆସନ୍ତାକାଲି ୭ ଜଣିଆ ଡାକ୍ତରୀଦଳ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରିବେ ବୋଲି ବୈପାରିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଅଧିରାଜ ସାହୁ ସୂଚନା ଦେଇଛନ୍ତି।

ଗତ ବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ଏହି ଭଳି ରୋଗରେ ଆକ୍ରାନ୍ତ ହେବା ସହ ପ୍ରାଣ ହରାଉଥିବା ଗ୍ରାମବାସୀ କହିଛନ୍ତି। କାଣ୍ଡିକିଗୁଡ଼ା ଗ୍ରାମରେ ୪୫ ଘର ରହିଥିବାବେଳେ ଜନସଂଖ୍ୟା ପ୍ରାୟ ୧୯୪ ହେବ। ଶିକ୍ଷା ଏବଂ ସଚେତନତାର ଅଭାବ ଯୋଗୁଁ ଏହି ଗ୍ରାମର ଲୋକ ଡାକ୍ତରୀ ଚିକିତ୍ସା ଅପେକ୍ଷା ଦେଶୀ ଚିକିତ୍ସା ସହ ଗୁଣିଗାରେଡ଼ି ଉପରେ ନିର୍ଭର କରିଥାନ୍ତି। ଯାହା ଫଳରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଉପଯୁକ୍ତ ସେବା ଅଭାବରୁ ପ୍ରାଣ ହରାଉଥିବା ଡାକ୍ତର ଅଧିରାଜ ସାହୁ କହିଛନ୍ତି।

Tags: #Health #HealthTips #Disease #UnknownDisease #Koraput #Death #MedicalTeam

LEAVE A REPLY

Please enter your comment!
Please enter your name here