ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଦିବସ ପାଳନ କରାଯାଏ। ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସତେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆଜିର ଦିନରେ ସମସ୍ତଙ୍କୁ ଗୋଟିଏ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଯେତେ କଷ୍ଟ ହେଲେ ମଧ୍ୟ ନିଜର ସୁନ୍ଦର ଜୀବନକୁ କୌଣସି କାରଣରୁ ହାରିବାକୁ ଚେଷ୍ଟା ନକରି ଟିକେ ଅପେକ୍ଷା କରିବା ଏବଂ ଜୀବନ ବଞ୍ଚିବାର କଳା ଶିଖିବା।

ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଏକ ଅପରାଧ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଦ ଇଣ୍ଟରନାସନାଲ ଆସୋସିଏସନ ଫର ସୁଇସାଇଡ ପ୍ରିଭେନସନ’ (ଆଇଏଏସପି) ନାମକ ସଂଗଠନ ଏବଂ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏମଏଚ ମିଳିତ ଆନୁକୂଲ୍ୟରେ ୨୦୦୩ ମସିହାରୁ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସର ଆରମ୍ଭ କରାଯାଇଛି। ୨୦୧୧ ମସିହାରେ ପ୍ରାୟ ୪୦ଟି ଦେଶ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଓଡ଼ିଶାରେ ଆତ୍ମହତ୍ୟା ସ୍ଥିତି ଏବେ ଜାତୀୟ ହାରଠାରୁ ମଧ୍ୟ ଅଧିକା ରହିଛି। ଦେଶରେ ଆତ୍ମହତ୍ୟା ହାର ପ୍ରାୟ ୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୧୨.୩ ପ୍ରତିଶତ ରହିଛି। ଡବ୍ଲୁଏଚ୍ଓର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବର୍ତ୍ତମାନ ପ୍ରତି ବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ୍ ପ୍ରତି ଦିନ ୩ ହଜାର ଲୋକ ଆତ୍ମହତ୍ୟା କରୁଛନ୍ତି। ଏହାର ୨୦ ଗୁଣରୁ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଚାକିରି ହେଉକି ପାରବାରିକ ସମସ୍ୟା, ପ୍ରେମଜନିତ ହେଉ କିମ୍ବା ନିର୍ଯାତନା, ହିଂସା, ନିଶା ଓ ଆର୍ଥିକ ସଙ୍କଟ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି।

Tags: #WorldSuicidePreventionDay #Health #HealthTip #SuicidePrevention #WHO

Comment