ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ୫୮ ବର୍ଷୀୟ ରୋଗୀଙ୍କୁ ଷ୍ଟେମସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ରୋଗୀଙ୍କର ସମସ୍ତ ଚିକିତ୍ସା କରାଯାଇଛି।

ପ୍ରାୟ ଦେଢ଼ ବର୍ଷ ତଳେ ରୋଗୀ ଜଣକଙ୍କଠାରେ ମଲ୍ଟିପଲ ମାଇଲୋମା ରୋଗରେ ଚିହ୍ନଟ ହେବା ପରେ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିଲା। ତେବେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ନିମନ୍ତେ ତାଙ୍କୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବ ଚିକିତ୍ସା ଦ୍ୱାରା ରୋଗୀଙ୍କର ବିଶେଷ ଉନ୍ନତି ହୋଇ ନଥିବାରୁ ତାଙ୍କର ଭିନ୍ନ ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା ବୋଲି କହିଛନ୍ତି ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ।

ସମ୍ପୃକ୍ତ ରୋଗୀଙ୍କର ରୋଗ ଚିହ୍ନଟ ହେଲା ବେଳେ ତାଙ୍କର କିଡ୍ନୀ ଜନିତ ସମସ୍ୟା ରହିଥିବା ମଧ୍ୟ ଜଣାପଡ଼ିଥିଲା। ତେଣୁ ଅତି ସତର୍କତାର ସହ ତାଙ୍କର ଚିକିତ୍ସା କରାଯାଇଥିଲା। ଷ୍ଟେମସେଲ ପ୍ରତ୍ୟାରୋପଣ ପୂର୍ବରୁ ତାଙ୍କୁ ହାଇଡୋଜ୍ କେମୋଥେରାପି ଦିଆଯାଇଥିଲା। ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ନିୟନ୍ତ୍ରଣ ରକ୍ଷା କରି କେମୋଥେରାପି ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଅନ୍ୟାନ୍ୟ ବିଭାଗରୁ ଅନୁମତି ମିଳିବା ପରେ ତାଙ୍କ ଶରୀରରେ ଏହି ଷ୍ଟେମସେଲ ପ୍ରତ୍ୟାରୋପଣ କରାଯାଇଥିଲା ବୋଲି ଡାକ୍ତର ସାମଲ କହିଛନ୍ତି।

ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିବା ଡାକ୍ତର ପ୍ରିୟଙ୍କା ସାମଲ କହିଛନ୍ତି।

Tags: #Health #Treatment #Cancer #MultipleMyeloma #SCT #SUMHospital

LEAVE A REPLY

Please enter your comment!
Please enter your name here