ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲରେ ସୁନ୍ଦରଗଡ଼କୁ ୪-୩ ଗୋଲରେ ହରାଇ ବିଜୟ ହାସଲ କରିଛି ଇଷ୍ଟକୋଷ୍ଟ ରେଳବାଇ ଟିମ୍। ପ୍ରଥମ ସେମିଫାଇନାଲରେ ସେଲକୁ ୪-୦ ଗୋଲରେ ହରାଇ ଖୋର୍ଦ୍ଧା ଟିମ୍ ଜିତିଥିଲା। ଶନିବାର ଦିନ ଖୋର୍ଦ୍ଧା ଏବଂ ପୂର୍ବତଟ ରେଳବାଇ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ଦ୍ଵିତୀୟ ସେମିଫାଇନାଲରେରେ ସୁନ୍ଦରଗଡ଼ ଟିମକୁ ଭେଟିଥିଲା ଇଷ୍ଟକୋଷ୍ଟ ରେଳବାଇ ଟିମ୍। ଏହି ମ୍ୟାଚରେ ୪-୩ ଗୋଲରେ ସୁନ୍ଦରଗଡ଼କୁ ହରାଇଥିଲା ଇଷ୍ଟକୋଷ୍ଟ ରେଳବାଇ ଟିମ୍। ପ୍ରଥମ କ୍ଵାର୍ଟରରେ ଇଷ୍ଟକୋଷ୍ଟ ରେଳବାଇ ଟିମର କ୍ୟାପଟେନ ଅର୍ବିନ ବାର୍ଲା ଏବଂ ଜେ ଜେ ମୁଣ୍ଡାଙ୍କ ଗୋଲ ବଳରେ ଦଳ ୨-୦ରେ ଆଗୁଆ ରହିଥିଲା। ଦ୍ଵିତୀୟ କ୍ଵାର୍ଟରରେ ରଜନୀ କାଣ୍ଡୁଲନା ତୃତୀୟ ଗୋଲ ଦେଇଥିବାବେଳେ ସୁମନ ବକ ଚତୁର୍ଥ ଗୋଲ ଦେଇଥିଲେ। ଏହି ମ୍ୟାଚରେ ସୁନ୍ଦରଗଡ଼ ପକ୍ଷରୁ ମତିୟାସ ଡାଙ୍ଗ, ସୁଶାନ୍ତ ଟପ୍ପୋ ଏବଂ ଆଦ୍ରୋହିତ ଏକ୍କା ଗୋଲ ସ୍କୋର କରିଥିଲେ।

ସୁନ୍ଦରଗଡ଼ ଏବଂ ଇଷ୍ଟକୋଷ୍ଟ ରେଳବାଇ ଟମ୍ ମଧ୍ୟରେ ହୋଇଥିବା ମ୍ୟାଚ ଟଫ୍ ରହିଥିଲା। ଦର୍ଶକ ଏହି ମ୍ୟାଚର ଭରପୁର ଆନନ୍ଦ ନେଇଥିଲେ ଏବଂ ଖେଳାଳିଙ୍କ ଉତ୍ସାହ ବଢ଼ାଇଥିଲେ ବୋଲି କହିଛନ୍ତି ରାଜ୍ୟ ସିନିଅର ହକି ଚାମ୍ପିଅନସିପସର ପ୍ରତିନିଧି ନିଶାନ ଜ୍ୟୋତି ମହାନ୍ତି।

“ଶୁକ୍ରବାର ଦିନ ଅନୁଷ୍ଠିତ ଦ୍ଵିତୀୟ ସେମିଫାଇନାଲରେ ସୁନ୍ଦରଗଡ଼ ଟିମ୍ ଭଲ ପ୍ରଦର୍ଶନ କରିଛି। ଏଥିପାଇଁ ଟିମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ସୁନ୍ଦରଗଡ଼ ଟିମରେ ସାମିଲ ହୋଇଥିବା ଖେଳାଳିମାନଙ୍କର ଅଧିକ ଅଭିଜ୍ଞତା ନଥିଲେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କୁ ମଇଦାନରେ ଟକ୍କର ଦେଇଥିଲେ ଖେଳାଳିମାନେ। ଏହି ମ୍ୟାଚରେ ଦେଖା ଦେଇଥିବା ତ୍ରୁଟିର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ,” କୁହନ୍ତି ସୁନ୍ଦରଗଡ଼ ଟିମର କୋଚ ସୁଶୀଲ କିରୋ।

ସେମିଫାଇନାଲରେ ଜିତିବା ପରେ ଫାଇନାଲରେ ଜିତି ଚାମ୍ପିଆନ ହେବାକୁ ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଇଷ୍ଟକୋଷ୍ଟ ରେଳବାଇ ଟିମର ଖେଳାଳିମାନେ ଖୁବ ପରିଶ୍ରମ କରୁଛନ୍ତି। ଖେଳିବା ସମୟରେ ଛୋଟ ଛୋଟ ଦିଗ ଉପରେ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଳବାଇ ଟିମର କୋଚ ସଞ୍ଜିତ କୁଜୁର।

Tags: #OdishaForSports #Hockey #HockeyMensChampionship #Matches #SundargarhTeam #EastCoastRailwayTeam

LEAVE A REPLY

Please enter your comment!
Please enter your name here