ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ‘ପେପରଲେସ୍ କୋର୍ଟ’କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି। ଓଡ଼ିଶାର ୩୦ଟି ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାରେ ‘ପେପରଲେସ୍ କୋର୍ଟ’କୁ ସେ ଭର୍ଚୁଆଲ ମୋର୍ଡରେ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ଏସଡିଜେଏମ କୋର୍ଟକୁ ‘ପେପରଲେସ୍ କୋର୍ଟ’ ଭାବେ କାର୍ଯ୍ୟକ୍ଷମ କରାଯାଇଛି।

ସୋମବାର ଦିନ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର ସ୍ୱାଗତ ଭାଷଣ ଦେଇଥିଲେ। ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଡକ୍ଟର ଡି ୱାଇ ଚନ୍ଦ୍ରଚୁଡ଼, ବିଚାରପତି ଏମ୍ ଆର୍ ସାହା ଏବଂ ଓଡ଼ିଶାର ମୁଖ୍ୟ ଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ନବରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ୍ (ପକ୍ସୋ) ପ୍ରଣତି ସାହା, ପରିବାର ଅଦାଲତ ବିଚାରପତି ଡକ୍ଟର ମୁନ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ଆଡହକ୍) ସଞ୍ଜୟ କୁମାର ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ସୁକାନ୍ତ କୁମାର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ଏସଡିଜେଏମ ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାରପତି ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ରାଜ କିଶୋର ନାଗ ଏବଂ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।

ଏଣିକି କାଗଜ ରହିତ କୋର୍ଟ ଦ୍ୱାରା ଦୂରଦୂରାନ୍ତ ନିମ୍ନ କୋର୍ଟରୁ ଆସୁଥିବା ବିଭିନ୍ନ ମାମଲାର ନଥିପତ୍ର ଉପର କୋର୍ଟରେ ଯଥା ଶୀଘ୍ର ପହଞ୍ଚିଯିବ। କୋର୍ଟରେ ଗଚ୍ଛିତ ରଖାଯାଉଥିବା ନଥିପତ୍ର ନଷ୍ଟ ହେବାରେ ଆଶଙ୍କା ରହିବ ନାହିଁ। ଏଥି ସହ ପରିବେଶ ସୁରକ୍ଷା ପାଇଁ ଅନେକ ସହାୟ ହେବ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ। ଶେଷରେ ଓଡ଼ିଶା ହାଇକୋର୍ଟର ବିଚାରପତି ଏସ ତାଳପତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Tags: #Nabarangpur #PaperlessCourt #Inauguration #JusticeUULalit #SupremeCourt

Comment