ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ‘ଜୁନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ସୁନ୍ଦରଗଡ଼ ହକି ଟିମ୍‌ ଚାମ୍ପିୟନ ହୋଇଛି। ଶୁକ୍ରବାର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦେବଗଡ଼ ଟିମକୁ ୧-୦ ଗୋଲରେ ହରାଇ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟାଇଟଲ ହାସଲ କରିଛି ସୁନ୍ଦରଗଡ଼।

ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନପାଇଁ ଖେଳା ଯାଇଥିବା ମ୍ୟାଚରେ ସମ୍ବଲପୁର ଟିମକୁ ୪-୦ ଗୋଲରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି କିଟ୍ ବିଶ୍ୱବିଦ୍ୟାଳୟ ଟିମ୍। ଚାମ୍ପିୟନସିପ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଖୁବଶୀଘ୍ର ରାଜ୍ୟସ୍ତରୀୟ ହକି ଶିବିର ପାଇଁ ଡକାଯିବ। ଏହି ଶିବିରରୁ ଆଗାମୀ ୨୦୨୩ ହକି ଇଣ୍ଡିଆର ଜାତୀୟ ଜୁନିୟର ହକି ଚାମ୍ପିୟନସିପ୍ସ ଲାଗି ଓଡ଼ିଶା ଦଳ ଚୟନ କରାଯିବ।ଶୁକ୍ରବାର ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗର ମହାସଚିବ ଡକ୍ଟର ଗଗନେନ୍ଦୁ ଦାସ, ଅଲିମ୍ପିଆନ ତଥା ଭାରତୀୟ ଜାତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁନିତା ଲାକ୍ରା, ଅଲିମ୍ପିଆନ ନମିତା ଟପ୍ପୋ, ଲିଲିମା ମିଞ୍ଜ, ଲାଜରୁସ ବାର୍ଲା, ହକି ଆସୋସିଏସନ ଅଫ୍ ଓଡ଼ିଶାର ସମ୍ପାଦକ ସନାତନ ସାହୁ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

ଏହି ଅବସରରେ ସୁନ୍ଦରଗଡ଼ ଟିମର ଖେଳାଳି ମିଲନ ଭୂୟାଁଙ୍କୁ ଶ୍ରେଷ୍ଠ ଗୋଲକିପର, ଦେବଗଡ଼ ଟିମର ଖେଳାଳି ସଲିମ କୁଲାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଓ ଅସିତ ଲାକ୍ରାଙ୍କୁ ଶ୍ରେଷ୍ଠ ମିଡଫିଲ୍ଡର, କିଟ୍ ବିଶ୍ୱବିଦ୍ୟାଳୟ ଟିମର ଅମ୍ରିତ ଡୁଙ୍ଗଡୁଙ୍ଗଙ୍କୁ ଶ୍ରେଷ୍ଠ ଫରୱାର୍ଡ ଏବଂ ସମ୍ବଲପୁର ଟିମର ଖେଳାଳି ପ୍ରେମଚନ୍ଦ ହାରୋଙ୍କୁ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।

ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ପ୍ରଥମଥର ଲାଗି ଏହି ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୬ ଦିନ ଧରି ଚାଲିଥିଲା। ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୮ଟି ଦଳ ଏବଂ ୨ଟି ଏକାଡେମୀ ଓ ଅନୁଷ୍ଠାନ ଦଳକୁ ମିଶାଇ ମୋଟ ୩୦ଟି ଦଳ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରସ୍ଥିତ କକିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମ ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯାଇଥିଲା।

Tags: #HAOJuniorMenHockeyChampionships2022 #HockeyAssociationofOdisha #HockeyOdisha #Sundargarh #Hockey #HockeyIndia

Comment