ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନବ୍ୟାପି ସାଧନା ନିମନ୍ତେ ବଲିଉଡର ଭେଟେରାନ ଅଭିନେତ୍ରୀ ପଦ୍ମଶ୍ରୀ ଆଶା ପାରେଖ ପାଇବେ ଏ ବର୍ଷର ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର।

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ୬୦-୭୦ ଦଶକରେ ନିଜ ସୌନ୍ଦର୍ଯ୍ୟ ଏବଂ ଦମଦାର ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ‘ଦାଦା ସାହେବ ଫାଲକେ ପୁରସ୍କାର’। ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ନିମନ୍ତେ ୭୯ ବର୍ଷୀୟ ଆଶା ପାରେଖଙ୍କୁ ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି।

ଆଶା ପାରେଖ ଅଭିନେତ୍ରୀ ହେବା ସହ ଫିଲ୍ମ ପ୍ରଯୋଜନା ଏବଂ ନିର୍ଦ୍ଦେଶନା କ୍ଷେତ୍ରରେ ସଫଳତା ପାଇଛନ୍ତି। ଏହା ପୂର୍ବରୁ ୧୯୯୨ ମସିହାରେ ତାଙ୍କୁ ଭାରତ ସରକାରଙ୍କ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରାପ୍ତ ହୋଇଛି। ୧୯୫୯ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ରାଜ କରୁଥିଲେ। ଖୁବ କମ ବୟସରୁ ସେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ହିନ୍ଦୀ ଚଳଚ୍ଚିତ୍ର ‘ଦିଲ ଦେ କେ ଦେଖୋ’ରେ ସେ ଅଭିନେତା ସମ୍ମି କପୁରଙ୍କ ବିପକ୍ଷରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଆଶା ପାରେଖଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ହୃଦୟ ଜୟ କରିଥିଲା। ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି।

ଦାଦା ସାହେବ ଫାଲକେ ପୁରସ୍କାର କ’ଣ?

ଦାଦା ସାହେବ ଫାଲକେଙ୍କୁ ଭାରତୀୟ ସିନେ ଜଗତର ଜନକ ବୋଲି କୁହାଯାଏ। ୧୮୭୦ ମସିହା ଏପ୍ରିଲ ୩୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ସେ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମ ପ୍ରଥମ ଚଳଚ୍ଚିତ୍ର କରି ଅନେକ ପ୍ରଶଂସା ସାଉଣ୍ଟି ଥିଲେ। ବଲିଉଡ ଫିଲ୍ମ ଜଗତକୁ ବିଶେଷ ଯୋଗଦାନ ପାଇଁ ଭାରତ ସରକାର ୧୯୬୯ ମସିହାରେ ଦାଦା ସାହେବ ଫାଲକେଙ୍କ ସମ୍ମାନାର୍ଥେ ଏହି ପୁରସ୍କାରର ଆରମ୍ଭ କରିଥିଲେ।

ଦାଦା ସାହେବ ଫାଳକେ ପୁରସ୍କାର ଫିଲ୍ମ ସମାରୋହ ନିର୍ଦ୍ଦେଶାଳୟ ଦ୍ଵାରା ପ୍ରତି ବର୍ଷ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଭାରତୀୟ ସିନେମା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ବିଶେଷ ଯୋଗଦାନ ପାଇଁ ପ୍ରଦାନ କରାଯାଇଥାଏ।

ଏହି ପୁରସ୍କାରରେ ଏକ ସ୍ଵର୍ଣ୍ଣ କମଳ ଏବଂ ୧୦ ଲକ୍ଷ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥାଏ। ପ୍ରଥମ ଥର ୧୯୬୯ ମସିହାରେ ଦେବୀକା ରାଣୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।

ପିଲାବେଳେ ଡାକ୍ତର ହେବାକୁ ଇଚ୍ଛା ରଖିଥିଲେ ଆଶା ପାରେଖ

ଆଶା ପାରେଖ ୧୯୪୨ ମସିହା ଅକ୍ଟୋବର ୨ ତାରିଖରେ ମୁମ୍ବାଇଠାରେ ଏକ ଗୁଜରାତି ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଶା ପିଲାବେଳେ ଡାକ୍ତର କିମ୍ବା ଆଇଏଏସ ଅଧିକାରୀ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ନୃତ୍ୟ ପ୍ରତିଭା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀରେ ପରିଣତ କରିଥିଲା।

ଆଶା ପାରେଖ ଏକ ଡ୍ୟାନ୍ସ ଏକାଡେମୀ ଚଲାଇଛନ୍ତି। ସମାଜ ସେବା କ୍ଷେତ୍ରରେ ମଧ୍ୟ ସେ ଅଧିକାଂଶ ସମୟ ଦେଇଥାନ୍ତି। ସେଥିପାଇଁ ମୁମ୍ବାଇରେ ତାଙ୍କ ନାଁରେ ‘ଆଶା ପାରେଖ ହସ୍ପିଟାଲ’ ପ୍ରତିଷ୍ଠା ହୋଇଛି। ସେ ଭାରତୀୟ ସିନେ ଆର୍ଟିଷ୍ଟ ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ଏହା ସହିତ ୧୯୯୪ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଭାରତୀୟ ପିଲ୍ମ ସେନ୍ସସର ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଥିଲେ।

ନୃତ୍ୟରୁ ଆରମ୍ଭ ହୋଇଥିଲା ଅଭିନୟ ଯାତ୍ରା

୧୯୫୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଆସମାନ’ରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଆଶା ପାରେଖ। ନୃତ୍ୟରେ ବିଶେଷ ରୁଚି ରଖିଥିବା ଆଶା ପାରେଖ ଅନେକ ଷ୍ଟେଜ ସୋ’ କରିଛନ୍ତି। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ସେ ନିଜର ନୃତ୍ୟ ପ୍ରତିଭା ଦେଖାଇଛନ୍ତି। ଏକ ଷ୍ଟେଜରେ ନୃତ୍ୟ କରିବା ସମୟରେ ଆଶା ପାରେଖଙ୍କୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିମଳ ରଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଫର କରିଥିଲେ। ଆଶା ପାରେଖ ମଧ୍ୟ ଅଭିୟନ କରିବାକୁ ହଁ ଭରିଥିଲେ।

୧୯୭୧ ମସିହାରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ଆୱାର୍ଡ ଓ ୨୦୦୨ରେ ଫିଲ୍ମ ଫେୟାର ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ଆଶା ପାରେଖ।

Tags: #Bollywood #FilmIndustries #VeteranActress #DadaSahebFalkeAward #AshaParekh

Comment