ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ରହିଥିବା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଏଣିକି ୟୁପିଏସସି ଭଳି ଓପିଏସସିରେ ପରୀକ୍ଷା ଦେବା ପାଇଁ ଗୋଟିଏ ଅପସନାଲ ରହିବ। ଆଶାୟୀ ପ୍ରାର୍ଥୀ ଓଡ଼ିଆରେ ପ୍ରବନ୍ଧ ଲେଖିବାକୁ ସୁଯୋଗ ପାଇପାରିବେ।

ପୂର୍ବରୁ ୨୨୫୦ ମାର୍କର ଓସିଏସ ପରୀକ୍ଷା କରାଯାଉଥିଲା। କିନ୍ତୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନ ହେବା ପରେ ଏବେ ମୋଟ ୨୦୦୦ ମାର୍କର ପରୀକ୍ଷା ଦେବେ ପ୍ରାର୍ଥୀ। ୟୁପିଏସସି ଭଳି ଓପିଏସିରେ ଅପସନାଲ ବିଷୟ ରହିବ। ପରୀକ୍ଷାର୍ଥୀ ଚାହିଁଲେ ଓଡ଼ିଆରେ ପ୍ରବନ୍ଧ ଲେଖିପାରିବେ। ଏହି ପରୀକ୍ଷାରେ ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେଖିବା ବାଧ୍ୟତାମୂଳକ ରହିଥିଲା।

ଅଣ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୬ ଥର ପରୀକ୍ଷା ସୁଯୋଗ ରହିଥିବାବେଳେ ଏସସି/ଏସଟି ପ୍ରାର୍ଥୀଙ୍କ ଯେତେଥର ଚାହିଁବେ ପରୀକ୍ଷା ଦେବାର ସୁଯୋଗ ରହିଛି। ଏହା ସହିତ ଏସିବିସି ପ୍ରାର୍ଥୀଙ୍କୁ ୯ ଥର ପରୀକ୍ଷା ଦେବା ଲାଗି ସୁଯୋଗ ମିଳିବ ବୋଲି ନିଷ୍ପତ୍ତି ହୋଇଛି।

ନୂତନ ସଂଶୋଧିତ ନିୟମ ଅନୁଯାୟୀ ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ। ପ୍ରାର୍ଥୀମାନେ ଚାହିଁଲେ ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ ଏବଂ ଇଂରାଜୀରେ ସାକ୍ଷାତକାର ମଧ୍ୟ ଦେଇପାରିବେ।

ଏହା ସହିତ  ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ନିଯୁକ୍ତି ନିମନ୍ତେ ହେବାକୁ ଥିବା ପରୀକ୍ଷା ମଧ୍ୟ ଓଡ଼ିଆରେ ହେବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାରକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କୁ ଓଡ଼ିଆରେ ପରୀକ୍ଷା ଦେବାକୁ ସୁଯୋଗ ସୃଷ୍ଟି କରିଛନ୍ତି।

ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଦ୍ଵାରା ବିଶେଷ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଉଭୟ ପରୀକ୍ଷା ଏବଂ ସାକ୍ଷାତକାର ଓଡ଼ିଆରେ ଦେଇପାରିବେ ପ୍ରାର୍ଥୀ। ପୂର୍ବରୁ ଏହି ବ୍ୟବସ୍ଥା ନଥିଲା। ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ସେମାନେ ଇଂରାଜୀରେ ପରୀକ୍ଷା ଦେଇପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ବୈଠକରେ ଖାଦ୍ୟ ଯୋଗାଣ, ଉପଭୋକ୍ତା ମଙ୍ଗଳ, ଗୃହ, ଇସ୍ପାତ ଓ ଖଣିକୁ ନେଇ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଧାନ ସଂଗ୍ରହ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ଆସନ୍ତା ଖରିଫ ଚାଷରେ ୫୭ ଲକ୍ଷ ମେଟ୍ରିକ ଟନ ଓ ରବି ଚାଷରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଖରିଫ ପାଇଁ ଧାନ ସଂଗ୍ରହ ଏବଂ ମେ’ ମାସରୁ ଜୁନ ମାସ ପର୍ଯ୍ୟନ୍ତ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ସର୍ବନିମ୍ନ ସହାୟକ ମୂଲ୍ୟ ୨,୦୪୦ ଏବଂ ସର୍ବାଧିକ ୨,୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିଗୁଡ଼ିକ ମାଧ୍ୟମରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ରେଜିଷ୍ଟ୍ରେସନ କରିଥିବା ଚାଷୀ ହିଁ ମଣ୍ଡିରେ ସରକାରଙ୍କୁ ଧାନ ବିକ୍ରି କରିପାରିବେ।

Tags: #StateCabinet #CabinetMeeting #CabinetApproval #ImportantProposal

Comment