ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲଠାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ନାଗରିକମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉଦଘାଟନ କରିଥିଲେ। ଅସ୍ଥିଶଲ୍ୟ, ହୃଦରୋଗ, ଚକ୍ଷୁ, ସ୍ନାୟୁ, କାନ, ନାକ ଓ ଗଳା ଆଦି ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ।

‘‘ବୟସ ଅଧିକ ହେଲେ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ବରିଷ୍ଠ ନାଗରିକମାନେ ନିୟମିତ ବ୍ୟବଧାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି। ତା’ଛଡ଼ା ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଅତ୍ୟାଧୁନିକ ଥେରାପ୍ୟୁଟିକ୍ ସେଣ୍ଟର ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ବିଭିନ୍ନ ସେବା ଉପଲବ୍ଧ ରହିଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଏହାସହ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଏକ ସଚେତତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ସୁରକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମେଡିକାଲ କଲେଜର ଡିନ ପ୍ରଫେସର ଦୈତାରୀ ରାଉତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ହାବଡାସିଂହ ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ହିମାଂଶୁ ଶେଖର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ବରିଷ୍ଠ ନାଗରିକଙ୍କ ପାଇଁ ଏଭଳି ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରାଉରକେଲା ସରକାରୀ ଚିକିତ୍ସାଳୟ ସହିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୋଜନ କରାଯାଇଥିଲା। ଏହା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜରାଶ୍ରମଗୁଡ଼ିକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଯାଇ ଅନ୍ତେବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

Tags: #HealthCheckupCamp #SSEPDDept #SeniorCitizens #DistHQHospital #Sundargarh

LEAVE A REPLY

Please enter your comment!
Please enter your name here