ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼): ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଆଶା ବାନ୍ଧିଥିଲେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଅଞ୍ଚଳର ଭାର୍ଗବ ଭୂସାଗର। ଅର୍ଥାଭାବ ଯୋଗୁଁ କୃତ୍ରିମ ଅଙ୍ଗ ଲଗାଇବାକୁ ଅସମର୍ଥ ଥିଲେ ସେ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କରେ ଚର୍ଚ୍ଚା ହେବା ପରେ ‘ଓଡ଼ିଶା ମୋ ପରିବାର’ ସହଯୋଗର ହାତ ବଢ଼ାଇଥିଲା। ଓଡ଼ିଶା ମୋ ପରିବାର ପକ୍ଷରୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ପରେ ଏବେ ନିଜ ଗୋଡ଼ରେ କଲେଜକୁ ପାଠପଢ଼ି ଯିବେ ଭାର୍ଗବ।

୧୬ ବର୍ଷର ବାଳକ ଭାର୍ଗବ ଭୂସାଗର ଜନ୍ମରୁ ଭିନ୍ନକ୍ଷମ। ତାଙ୍କର ଡାହାଣ ପାର୍ଶ୍ଵ ଗୋଡ଼ ଛୋଟ ହୋଇଥିବାରୁ ସେ ଗୋଟିଏ ଗୋଡ଼ରେ ହିଁ ଚଲାବୁଲା କରିଥାନ୍ତି। ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଚିକିତ୍ସା ଓ କୃତ୍ରିମ ଗୋଡ଼ ଲଗାଇବାକୁ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ଉଚ୍ଚ ଶିକ୍ଷାର ଆଶା ରଖିଥିବା ଭାର୍ଗବ ଗୋଟିଏ ଗୋଡ଼ରେ ହାଇସ୍କୁଲ ପାଠପଢ଼ା ସାରିଥିଲେ। କିନ୍ତୁ ଭିନ୍ନକ୍ଷମ ହୋଇଥିବାରୁ ଗୋଟିଏ ଗୋଡ଼ରେ କଲେଜ ଯିବାଲାଗି ଲଜ୍ଜା ଅନୁଭବ କରିଥିଲେ।

ତାଙ୍କର ଏହି ଅସହାୟତାର କାହାଣୀ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ଯାହା ଓଡ଼ିଶା ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡାକ୍ତର ସତ୍ୟଜିତ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଡାକ୍ତର ଦାଶ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ। ଭାର୍ଗବଙ୍କକୁ ସହଯୋଗର ହାତ ବଢ଼ାଇଲା ଓଡ଼ିଶା ମୋ ପରିବାର। ତାଙ୍କୁ ସମ୍ବଲପୁର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଥଇଥାନ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଡାକ୍ତର ସଚ୍ଚିଦାନନ୍ଦ ଖୁଣ୍ଟିଆଙ୍କ ସହାୟତାରେ ଭାର୍ଗବଙ୍କର କୃତ୍ରିମ ଗୋଡ଼ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା। ଅକ୍ଟୋବର ୨୦ ତାରିଖରେ କୃତ୍ରିମ ଗୋଡ଼ ଲଗାଇଛନ୍ତି ଭାର୍ଗବ। ସମସ୍ତ ପ୍ରକ୍ରିୟାକୁ ବୁର୍ଲା ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ଧୀରେନ୍ଦ୍ର ସୁନା ସଂଯୋଜନା କରିଥିଲେ।

କୃତ୍ରିମ ଗୋଡ଼ ଲାଗିବା ପରେ ଭାର୍ଗବଙ୍କ ସ୍ଵପ୍ନରେ ଡେଣା ଲାଗିଛି। ଉଚ୍ଚ ଶିକ୍ଷା ଲାଭ କରି ବଡ଼ ମଣିଷ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଦୀର୍ଘ ଦିନର ଆଶା ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ଭାର୍ଗବ ଭୂସାଗର।

Tags: #OdishaMoParivar #Bargarh #HelpingHand #ArtificialLegs #BhargavBhusagar

Comment