ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଶିଳ୍ପ ଜଗତ ଏବଂ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କନକ୍ଲେଭ ପୂର୍ବରୁ ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ଓଡ଼ିଶା ସରକାର ନିବେଶ ସମ୍ମିଳନୀ ଆୟୋଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୨ରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି।

ମେକ୍ ଇନ୍ କନକ୍ଲେଭକୁ ସୁବ୍ୟବସ୍ଥିତ କରିବା ନିମନ୍ତେ https://mio.investodisha.gov.in/ ଓ୍ଵେବସାଇଟକୁ ସୋମବାର ଦିନ ଲୋକର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେକ୍ ଇନ୍ କନକ୍ଲେଭ ଓଡ଼ିଶାରେ ଶିଳ୍ପ ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ।

ସାମାଜିକ, ଅର୍ଥନୈତିକ ଏବଂ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ସମ୍ପର୍କରେ ଏହି ପ୍ଲାଟଫର୍ମରେ ପ୍ରଚାର କରାଯିବ। ବିନିର୍ମାଣ କ୍ଷେତ୍ରରେ ଓଡ଼ିଶା ଆଜି ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। କେନ୍ଦ୍ର ସରକାରଙ୍କ ସଂସ୍ଥା ପକ୍ଷରୁ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ କ୍ଷେତ୍ରରେ ଓଡ଼ିଶାକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦୁଇଟି ସଂସ୍କରଣ ଅପେକ୍ଷା ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଆୟୋଜିତ ହେବାକୁ ଯାଉଥିବା ତୃତୀୟ ସଂସ୍କରଣକୁ ଆହୁରି ଅଧିକ ସଫଳ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ଓ୍ଵେବସାଇଟ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟତା ପ୍ରଦାନ କରିବ।

ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଏହି ଅବସରରେ କହିଥିଲେ ୫ ଦିନିଆ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ୩ଟି କନକ୍ଲେଭ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୨୦ଟି ଅଧିବେଶନ ହେବ ବୋଲି ସେ କହିଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ୧୦ଟି ରୋଡ ସୋ’ ମଧ୍ୟରୁ ୫ଟିରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଥିଲେ। ଏହାର ସୁଫଳ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ହେମନ୍ତ କୁମାର ଶର୍ମା କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ଓ୍ଵେବସାଇଟରୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ ବୋଲି ଉପସ୍ଥିତ ଆଇଟି ବିଶେଷଜ୍ଞମାନେ କହିଥିଲେ। ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ଲିକେସନଟିକୁ ଡାଉନଲୋଡ କରିବାକୁ ପଡ଼ିବ।

ଓଡ଼ିଶାରେ ଦେଶ ବିଦେଶରୁ ପୁଞ୍ଜି ନିବେଶ ଏବଂ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାରଙ୍କ ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ ଇନ ଓଡ଼ିଶା। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭର ତୃତୀୟ ସଂସ୍କରଣରେ ଯୋଗ ଦେବା ଲାଗି ଦେଶ ବିଦେଶର ନିବେଶକାରୀଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #MakeinOdisha #MIO #CMOdisha #NaveenPatnaik #WebsiteLaunch #MobileApp #MakeInOdishaConclave2022

Comment