ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହି କନକ୍ଲେଭ ପାଇଁ ମଙ୍ଗଳବାର ଦିନ ଭୁବନେଶ୍ୱର ଜନତା ମଇଦାନରେ ଭୂମି ପୂଜନ ସହ ପାଭିଲିୟନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଇପିକଲ ପକ୍ଷରୁ ଏହି କାର୍ଯ୍ୟକୁ ପରିଚାଳନା କରାଯାଉଛି। ଏହା ସହ ପୁଞ୍ଜି ନିବେଶକାରୀଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି।

ଏହି ଅବସରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ଇପିକଲ ଏବଂ ଇଡକୋର ପରିଚାଳନା ନିର୍ଦ୍ଦଶେକ ଭୂପେନ୍ଦ୍ର ସିଂହ ପୁନିଆ, ଶିଳ୍ପ ବିଭାଗ ଉପ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ କଲ୍ୟାଣ ଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ କନକ୍ଳେଭ-୨୦୨୨ର ସଫଳ ରୂପାୟନ ନିମନ୍ତେ ଆଲୋଚନା କରିଥିଲ।

ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ -୨୦୨୨ ନମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜନତା ମଇଦାନର ସମସ୍ତ ଅଞ୍ଚଳକୁ ଅତ୍ୟାଧୁନିକ ପ୍ରଦର୍ଶନୀ କେନ୍ଦ୍ରରେ ପରିଣତ କରାଯିବ। ଏଥିରେ ୫-ଟି ସେସନ ହଲ୍, ପ୍ଳେନାରୀ ହଲ୍, ମୁଖ୍ୟମନ୍ତ୍ରୀଙ୍କ ଲାଉଞ୍ଜ, ଭିଆଇପି ଲାଉଞ୍ଜ, ମିଡିଆ ଲାଉଞ୍ଜ, ଡାଇନିଂ ଏରିଆ ଏବଂ ଫୁଡ କର୍ଣ୍ଣର ଆଦି ରହିବ। ଏଠାରେ ବଡ଼ ବଡ଼ ସ୍କ୍ରିନ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହକୁ ପ୍ରଦର୍ଶନ କରାଯିବ।

ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଉଦଘାଟନ କରିବେ। ଆସନ୍ତା ଡିସେମ୍ବର ୧ ତାରିଖରେ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ, ୨ ତାରିଖରେ ସ୍କିଲ ଓଡ଼ିଶା କାର୍ଯ୍ୟକ୍ରମ, ୩ ତାରିଖରେ ମହିଳା ସଶକ୍ତିକରଣ, ସ୍କୁଲ ଟ୍ରାନ୍ସଫର୍ମେସନ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଚର୍ଚ୍ଚା ହେବ ଏବଂ ଡିସେମ୍ବର ୪ ତାରିଖରେ ଏହି କନକ୍ଲେଭର ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ।

ସୋମବାର ଦିନ ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୨କୁ ସୁବ୍ୟବସ୍ଥିତ କରିବା ନିମନ୍ତେ https://mio.investodisha.gov.in/  ଓ୍ଵେବସାଇଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକର୍ପିତ କରିଛନ୍ତି।

ଓଡ଼ିଶାରେ ଦେଶ ବିଦେଶରୁ ପୁଞ୍ଜି ନିବେଶ ଏବଂ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାରଙ୍କ ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ ଇନ ଓଡ଼ିଶା। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭର ତୃତୀୟ ସଂସ୍କରଣରେ ଯୋଗ ଦେବା ଲାଗି ଦେଶ ବିଦେଶର ନିବେଶକାରୀଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #MakeinOdisha #MIO #CMOdisha #NaveenPatnaik #WebsiteLaunch #MakeInOdishaConclave2022 #FieldWork

Comment