ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

‘କଳା କଳେବର କହ୍ନେଇ…’ ଶାନ୍ତିଲତା ବାରିକଙ୍କର ଏକ ଲୋକପ୍ରିୟ ଏବଂ ପରିଚିତ ଭଜନ। ଏହି ଗୀତଟିକୁ ଶାନ୍ତିଲତା ବାରିକ ଶ୍ରୀକୃଷ୍ଣ ପାଇଁ ସମର୍ପଣ କରିଛନ୍ତି। ଶ୍ରୀକୃଷ୍ଣ ଏବଂ ବଳରାମ ମଥୁରା ଆସିବାର ଦୃଶ୍ୟକୁ ସେ ବର୍ଣ୍ଣନା କରୁଛନ୍ତି। ସେ କହୁଛନ୍ତି ଶ୍ରୀକୃଷ୍ଣ ଏବଂ ବଳରାମ ଦୁଇଭାଇଙ୍କ ଅଗମନର ମନୋରମ ଦୃଶ୍ୟକୁ ଦେଖିବା ପାଇଁ ମଥୁରାରେ ଭିଡ଼ ଜମିଛି। କୃଷ୍ଣଙ୍କୁ ପୂର୍ଣ୍ଣମୀର ଚନ୍ଦ୍ର ଭାବେ ବର୍ଣ୍ଣନା କରିବା ସହ ମଥୁରା ଯୁବତୀଙ୍କ ମଧ୍ୟରେ କୃଷ୍ଣଙ୍କୁ ନେଇ କଳ୍ପନାକୁ ଗୀତରେ ସ୍ଥାନ ଦିଆଯାଇଛି।

କିଏ କହ୍ନେଇକୁ ଘଡ଼ିଏ ଚାହିଁ ରହିବାକୁ କହୁଛନ୍ତି ତ ଆଉ କେହି ତାଙ୍କୁ ଚନ୍ଦ ଲଗାଇ ଦେବାକୁ ମନବଳାଉଛନ୍ତି। ଲୋକ ନିନ୍ଦାକୁ ପଛ କରି ମଥୁରାର ଝିଅ ବୋହୂମାନେ ଶ୍ରୀକୃଷ୍ଣଙ୍କ ଗଳାରେ ହାର ପିନ୍ଧାଇ ତାଙ୍କ ସାନିଧ୍ୟ ପାଇବାକୁ ଆଶା ରଖୁଥିବା କଥା ଏହି ଗୀତରେ କହୁଛନ୍ତି ଶାନ୍ତିଲତା ବାରିକ। ଏହି ଗୀତରେ ଶ୍ରୀ କୃଷ୍ଣଙ୍କର ଲୀଳାକୁ ଅତିସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି।

ଶାନ୍ତିଲତା ବାରିକଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ତାଙ୍କ କଣ୍ଠର ସମସ୍ତ ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।

Tags: #ShantilataBarik #OdiaBhajana #ClassicalMusic #OdiaSong #ShantilataBarikHits

Comment