ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ବି ପଞ୍ଚୁକରେ ଭକ୍ତମାନେ ସିଧାସଳଖ ବାବା ଧବଳେଶ୍ଵରଙ୍କର ଦର୍ଶନ କରିପାରିବେ ନାହିଁ। ଧବଳେଶ୍ଵରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ। ଝୁଲାପୋଲ ନିକଟରେ ବଡ଼ ଏଲଇଡି ସ୍କ୍ରିନରେ ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ଦିଆଯାଇଛି।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଝୁଲାପୋଲ ଦେଖିବା ସହ ଏହାର ସ୍ଥିତି ସମୀକ୍ଷା କରିଛନ୍ତି। ପୋଲରେ ଅଧିକାଂଶ ସ୍ଥାନରେ କଳଙ୍କି ଲାଗିବା ସହ ଫାଟ ସୃଷ୍ଟି ହୋଇଛି। ପଞ୍ଚୁକ ଏବଂ ବଡ଼ଓଷା ଲାଗି ଧବଳେଶ୍ଵର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲ ମରାମତି ନହେବା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି ରହିବ।

ଗତ ଅକ୍ଟୋବର ୩୧ ତାରିଖରେ ଗୁଜରାଟର ମୋରବୀ ମଚ୍ଛୁ ନଦୀ ଝୁଲାପୋଲ ଟ୍ରାଜେଡି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି।

କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ପଞ୍ଚୁକ ଏବଂ ବଡ଼ଓଷା ଅବସରରେ ଧବଳେଶ୍ଵରଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ ଭକ୍ତ। ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା। ଏଥର କାରଣ ସମ୍ପୂର୍ଣ୍ଣ ଭିନ୍ନ। ୨୦୦୬ ମସିହାରେ ଆଠଗଡ଼ ଧବଳେଶ୍ଵରଙ୍କ ପୀଠକୁ ଯିବା ଲାଗି ନିର୍ମାଣ ହୋଇଥିଲା ୧,୫୦୦ କ୍ଷମତା ବିଶିଷ୍ଟ ଝୁଲା ପୋଲ। କ୍ରମଶଃ ଧୀରେ ଧୀରେ ଏହାର କ୍ଷମତା ୨୦୦କୁ ଖସି ଆସିଥିଲା। ଏବେ ପୋଲଟି ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ନହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ନିମନ୍ତେ କଟକଣା ଜାରି କରାଯାଇଛି।

Tags: #DhableswarTemple #Section144 #DhabaleswarShrine #Athgarh #Cuttack #VirtualDharshan #Devotees #LEDScreen

Comment