ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ଅନଗ୍ରସର କୋଟା ବଳବତ୍ତର ରହିବ। ଆର୍ଥିକ କ୍ଷେତ୍ରରେ ପଛୁଆ (ଇଡବ୍ଲ୍ୟୁଏସ) ତଥା ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସୋମବାର ଦିନ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ଇଡବ୍ଲ୍ୟୁଏସ ସଂରକ୍ଷଣ ପ୍ରଦାନ ନିମନ୍ତେ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଦ୍ଵାରା ଗଠିତ ୫ ଜଣିଆ ଖଣ୍ଡପୀଠରେ ଏହିପରି ଶୁଣାଣି ହୋଇଛି। ଏବେ ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ୧୦ ପ୍ରତିଶତର କୋଟା ବଳବତ୍ତର ରହିବ। ଚାକିରି ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ।

କେନ୍ଦ୍ର ସରକାର ସମ୍ବିଧାନରେ ସଂଶୋଧନ କରି ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ପ୍ରାବଧାନ କରିଥିଲେ। ସଂରକ୍ଷଣ ପାଇଁ ପ୍ରଦାନ କରୁଥିବା ୧୦୩ ତମ ସାମ୍ବିଧାନିକ ସଂଶୋଧନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ବିଚାର ପାଇଁ ଗଠିତ ୫ ଜଣିଆ ଖଣ୍ଡପୀଠର ୩ ଜଣ ବିଚାରପତି ଇଡବ୍ଲ୍ୟୁଏସ ସଂରକ୍ଷଣ ସପକ୍ଷରେ ରାୟ ଦେବା ପରେ ଇଡବ୍ଲ୍ୟୁଏସ ସଂରକ୍ଷଣ ବଳବତ୍ତର ରହିଛି।

ଜଷ୍ଟିସ ଦିନେଶ ମାହେଶ୍ଵରୀ, ଜଷ୍ଟିସ ବେଲା ତ୍ରିବେଦୀ ଏବଂ ଜଷ୍ଟିସ ଜେବି ପାରଦୀବାଲା ଇଡବ୍ଲ୍ୟୁଏସ ସଂରକ୍ଷଣର ନିଷ୍ପତ୍ତିକୁ ଉଚିତ୍ ବୋଲି ଦର୍ଶାଇଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ସରକାର ଆର୍ଥିକ ଅନଗ୍ରସର ବର୍ଗଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ। ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା। ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ୭ ଦିନ ଧରି ଏହି ମାମଲାର ଶୁଣାଣି କରିବା ପରେ ଗତ ଅକ୍ଟୋବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟର ପ୍ରଧାନବିଚାର ପତି ୟୁୟୁ ଲଳିତଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ଇଡବ୍ଲୁଏସ ସଂରକ୍ଷଣ ମାମଲ ରାୟ ପ୍ରକାଶ ପାଇଛି।

Tags: #SupremeCourt #Reservation #Quota #EWS

Comment