ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲରୁ ବାହାରିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ଆଧାରରେ ସେ ବିଲାସପୁର ଜେଲରୁ ବାହାରିଛନ୍ତି। କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଗତ ୩ ତାରିଖରେ ଜାମିନ ମିଳିଥିଲା।

କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ଗତ ଏପ୍ରିଲ ମାସ ୨ ତାରିଖରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ରାୟଗଡ଼ ସେସନ୍ସ କୋର୍ଟ କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବାବେଳେ ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଥିବା ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। 

ଗତ ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ(ବବଲି)ଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗି ଦିଆଯାଇଥିଲା। ଛତିଶଗଡ଼ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଖୋଳତାଡ଼ ପରେ ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଥାନାରୁ ମୃତକଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା।

ସମସ୍ତ ତଥ୍ୟକୁ ଆଧାର କରି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ୨୦୨୦ ମସିହା ଫେବ୍ରୁଆରି ୧୩ ତାରିଖରେ ଛତିଶଗଡ଼ର ରାୟଗଡ଼ ପୋଲିସ ଅନୁପ ସାଏଙ୍କୁ ଗିରଫ କରିଥିଲା।

Tags: #AnupSai #Crime #Jail #ChhattisgarhHighCourt #Bail

Comment