ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। କର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଇଛନ୍ତି ବଡ଼ଦିଅଁ। କର୍ତ୍ତିକ ପୂର୍ଣ୍ଣିମାରେ ରତ୍ନ ସିଂହାସନ ଉପରେ ବଡ଼ଠାକୁର ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦେଖିବା ପରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠେ କି ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ, ଏତେ ସୁନା କେଉଁଠୁ ଆସିଲା ଏଭଳି ଅନେକ ପ୍ରଶ୍ନ।

ଜାଣନ୍ତୁ ଶ୍ରୀକ୍ଷେତ୍ରରେ ସୁନାବେଶ ପଛରେ କ’ଣ ରହିଛି ଐତିହାସିକ ଦିଗ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ୍ ୬ ଥର ସୁନାବେଶ ହୋଇଥାଏ। ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା. ଦଶହରା ପ୍ରଭୃତି ଅବସରରେ ରାଜବେଶ, ରାଜ ରାଜେଶ୍ୱର ଆଦି ବେଶରେ ସଜ୍ଜିତ ହୁଅନ୍ତି। ଏହି ୫ଟି ବେଶ ସିଂହାସନ ଉପରେ ହୁଏ।

‘‘ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ୧୬ଟି ହାତୀ ପିଠିରେ ବୋଝେଇ ଆଣିଥିଲେ। ସେହି ସୁନାକୁ ନିଜ କାର୍ଯ୍ୟରେ ନ ଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ। ସେହି ସୁନାରେ ପ୍ରଭୁଙ୍କର ସୁନା ଅଳଙ୍କାର ତିଆରି ହୋଇଛି’’, ଏକ ସାକ୍ଷାତକାରରେ ଓଡ଼ିଶାଲାଇଭ୍‌କୁ କହିଥିଲେ ପ୍ରଫେସର୍ ରଜତ କୁମାର କର।

କିମ୍ବଦନ୍ତୀରେ ଅଛି ଯେ ରଥ ଉପରେ ଏହି ବେଶର ନାମ ତଡ଼ଉ ବେଶ। କପିଳେନ୍ଦ୍ର ଦେବଙ୍କ ସେବକ ତଡ଼ଉ ବିନତି କରିଥିଲେ ଯେ ରତ୍ନବେଦୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରିପାରୁ ନାହାନ୍ତି, ତେଣୁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ କରାଯାଉ। ଯାହାଫଳରେ ସବୁବର୍ଗରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିପାରିବେ। ସେବେଠୁ କପିଳେନ୍ଦ୍ର ଦେବ ରଥ ଉପରେ ସୁନାବେଶର ଆରମ୍ଭ କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ଆଣି ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ।

‘‘ମହାପ୍ରଭୁ ନିରାକାର, ନିରଞ୍ଜନ, ପରବ୍ରହ୍ମ। ତାଙ୍କୁ କେହି ଛୁଇଁପାରିବେନି। ମହାପ୍ରଭୁଙ୍କର ମସ୍ତିଷ୍କ ନାହିଁ, ପାଦ ନାହିଁ, ଆଙ୍ଗୁଳି ନାହିଁ। ସେଥିପାଇଁ ତାଙ୍କ ପାଇଁ ସୁନାର ହାତ ଲାଗିଲା, ତାଙ୍କର ପୟର ଲାଗିଲା। ସୁଭଦ୍ରାଙ୍କର କାନ ନାହିଁ, ସେଥିପାଇଁ ସୁନାର କାନ ଲାଗିଲା, କାନରେ କୁଣ୍ଡଳ ଲାଗିଲା’’, କହି କହିଥିଲେ ପ୍ରଫେସର୍ ରଜତ କୁମାର କର।

ପୃଥିବୀରେ ମହାପ୍ରଭୁଙ୍କ ବେଶ ଭଳି ବେଶ କେଉଁଠି ନାହିଁ। ଏତେ ବଡ଼ ବଡ଼ ଅଳଙ୍କାର ମହାପ୍ରଭୁଙ୍କ ଛଡ଼ା ଆଉ କେହି ପିନ୍ଧି ପାରିବେ ନାହିଁ। ମହଣ ମହଣ ଓଜନର ଅଳଙ୍କାର କେବଳ ଦାରୁବ୍ରହ୍ମ ହିଁ ପିନ୍ଧି ପାରିବେ ବୋଲି ଭାବବିହ୍ୱଳ ହୋଇ କହିଥିଲେ ପ୍ରଫେସର୍ କର ।

ଜଗନ୍ନାଥ ଅର୍ଦ୍ଧନାରୀଶ୍ୱର। ଜଗନ୍ନାଥଙ୍କୁ ଶାଢ଼ି ଦିଆଯାଉଛି। ଜଗନ୍ନାଥଙ୍କୁ ପୁରୁଷ ଅଳଙ୍କାର ଦିଆଯାଉଛି ଏବଂ ସ୍ତ୍ରୀର ଅଳଙ୍କାର ମଧ୍ୟ ଦିଆଯାଉଛି। ଭକ୍ତ ପ୍ରିୟ ଏ କାଳିଆ ଠାକୁର।

ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ଅପରାହ୍ଣ ୨ଟା ୩୮ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଶ୍ରଦ୍ଧାଳୁ ସାମାନ୍ୟ ଚିନ୍ତାରେ ଥିଲେ।

Tags: #SunaBesa #ShreeKhetra #ShreeJagannath #ShreeMandir #KartikPurnima

Comment