ବିଶ୍ଵଜିତ ସାହୁ

ଓଃ କି ମଧୁର, ଓଃ କି ସ୍ଵାଦିଷ୍ଟ… ଆସନ୍ତୁ, ଦେଖନ୍ତୁ, ଆଉ ନେଇ ଯାଆନ୍ତୁ… ଗୋଟାଏରେ ଗୋଟାଏ ଫ୍ରି… ରାମଦୋଳିରେ ଲାଗିଲା ସ୍ପେଶାଲ ଅଫର୍…। ଦୁଇ ବର୍ଷ ପରେ କଟକ ମହାନଦୀ କୂଳେ ଶୁଭିଛି ଏସବୁ ଡାକ। ପୁଣି ଦୁଲୁକିଛି ଗଣକବି ବୈଷ୍ଣବ ପାଣି ମଞ୍ଚ। ଆରମ୍ଭ ହୋଇଛି କଟକର ପ୍ରସିଦ୍ଧ ବାଣିଜ୍ୟିକ ମହୋତ୍ସବ ‘ବାଲିଯାତ୍ରା’। ବାଲିଯାତ୍ରା ପାଇଁ ସଜେଇ ହୋଇଛି ପୂରା ସହର।

ଏଥର ବାଲିଯାତ୍ରାରେ ବେଶ୍ କିଛି ଜିନିଷ ନୂଆକରି ଦେଖିବାକୁ ମିଳିଛି, ଯେମିତି – ମହାନଦୀ ଜଳରାଶି ଉପରେ ଲେଜର ଲାଇଟ୍ ସୋ’, ଗୋଟିଏ ସ୍ଥାନରେ କଟକ ଜିଲ୍ଲାର କିଛି ଐତିହ୍ୟ ବହନ କରୁଥିବା ସ୍ଥାନର ରେପ୍ଲିକା ବା ପ୍ରତିରୂପ ବୁଲି ଦେଖିବାର ସୁଯୋଗ, ବାଲୁକା କଳାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ସ୍ମାରକୀ ବୋଇତ ଇତ୍ୟାଦି।ଏସବୁ ବାଦ୍ ଏଥର କଟକ ବାଲିଯାତ୍ରାକୁ ଆଉ ଏକ ନିଆରା ଛୁଙ୍କ ଦେଇଛି ‘ଆସିଗଲା ବାଲିଯାତ୍ରା’ ଗୀତ। କଟକର କିଛି ଯୁବ କଳାକାରଙ୍କ ପ୍ରଚେଷ୍ଟାରେ ତିଆରି ହୋଇଛି ଏହି ଗୀତ। ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’ରେ ଖାଣ୍ଟି କଟକିଆ ଖୋକା ଭାଇ (ଅକ୍ଷୟ ମହାନ୍ତି)ଙ୍କ ରଚିତ ସାତ ଦରିଆ ପାରିରେ ବୋଇତ ଭାସିଯା… ବୋଲ୍‌ରୁ ଆରମ୍ଭ ହୋଇଛି ଏହି ଗୀତ, ଆଉ ଗୀତର ତାଳେ ତାଳେ ବାଲିଯାତ୍ରାର ଇତିହାସ କଥା କହି ଶ୍ରୋତାଙ୍କୁ ନେଇ ପହଞ୍ଚାଇ ଦେଉଛି ବାଲିଯାତ୍ରା ପଡ଼ିଆରେ।ଗୀତ ମାଧ୍ୟମରେ ଶ୍ରୋତାମାନେ ମଜା ନେଉଛନ୍ତି ଦହିବରା, ସିମଲା ଲଙ୍କାଚପ୍, ମଥୁରା କେକ୍, ବନାରସୀ ପାନ ଭଳି ନାନା ରକମର ଖାଇବା ଆଉ କିଣୁଛନ୍ତି ଘରକରଣା ଜିନିଷ। ଯାତ୍ରା ପଡ଼ିଆରେ ବୁଲୁଛନ୍ତି ଗୋଟିଏ ଷ୍ଟଲରୁ ଆଉ ଗୋଟେ ଷ୍ଟଲ୍। ହସ୍ତତନ୍ତ ଓ ହସ୍ତକଳାର ସମ୍ଭାର ସହ ରାମଦୋଳି ଉପରେ ବସି ଦେଖୁଛନ୍ତି ବାଲିଯାତ୍ରାର ସୌନ୍ଦର୍ଯ୍ୟକୁ, ଆଉ ଦୋଳିରୁ ତଳକୁ ଖସିଲା ବେଳେ ଭୟରେ ଚିତ୍କାର ମଧ୍ୟ କରୁଛନ୍ତି। ଖାଲି ଏତିକି ନୁହେଁ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚ ତଳେ ଉପଭୋଗ କରୁଛନ୍ତି ମନଲୋଭା କାର୍ଯ୍ୟକ୍ରମ, ନୂଆ ନୂଆ ଚେହେରାଙ୍କ ସହ ହେଉଛି ଭେଟ୍‌ଘାଟ୍, ଆଉ ଯାତ୍ରାରୁ ଫେରିଲା ବେଳେ ଘରକୁ କିଣି ଆଣୁଛନ୍ତି ଶୁଖୁଆ। ଭାଇଚାରାର ନଗର କଟକରେ ବାଲିଯାତ୍ରାକୁ ସବୁ ପର୍ବ ମଧ୍ୟରେ ଏକ ବଡ଼ ପର୍ବ ବୋଲି ଆଖ୍ୟାୟିତ କରିଛି ଏହି ବାଲିଯାତ୍ରା ଗୀତ।“କଟକ ବାଲିଯାତ୍ରା ପରମ୍ପରାକୁ ଗୋଟିଏ ଗୀତ ମାଧ୍ୟମରେ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇବା ଲାଗି ୨୦୧୯ରେ ସିମ୍ଫୋନି ମ୍ୟୁଜିକ୍ ପରିବାରର ସମସ୍ତ କଳାକାରମାନଙ୍କ ଚେଷ୍ଟାରେ ପ୍ରଥମ କରି ‘ଆସିଗଲା ବାଲିଯାତ୍ରା’ ଗୀତଟିକୁ ଆମେ ପ୍ରସ୍ତୁତ କରିଥିଲୁ। ଅଭିନେତା କୁନା ତ୍ରିପାଠୀ ଏହି ଗୀତର କିଛି ଅଂଶ ଗାଇଥିଲେ। ସେତେବେଳେ ଏ ଗୀତଟି ଶ୍ରୋତାମାନଙ୍କ ପ୍ରଶଂସା ସାଉଁଟିଥିଲା। ଏବେ ଦୁଇବର୍ଷ ପରେ ପୁଣିଥରେ ବାଲିଯାତ୍ରା ଅବସରରେ ଆମେ ଆସିଗଲା ବାଲିଯାତ୍ରା ଗୀତକୁ ରିକ୍ରିଏଟ୍ କରିଛୁ” ଓଡ଼ିଶାଲାଇଭ୍‌କୁ କହିଛନ୍ତି କଣ୍ଠଶିଳ୍ପୀ ନମତ୍ରା ମହାନ୍ତି।

“ଓଡ଼ିଆ ସାଧବ ପୁଅର କଥା ଆଉ ଗାଥା ହେଉଛି ବାଲିଯାତ୍ରା। ପୂର୍ବକାଳେ ଜଳପଥରେ ବାଣିଜ୍ୟ ବ୍ୟବସାୟ କରି ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିଥିଲେ ଏଠାକାର ସାଧବ ପୁଅମାନେ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସେହି ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମହାନଦୀ କୂଳେ ବାଲିଯାତ୍ରା ହୋଇଆସୁଛି। ଯେଉଁମାନେ କଟକରେ ଜନ୍ମ ହୋଇଛନ୍ତି, ବଢ଼ିଛନ୍ତି, ଏଠି ଚଳିଛନ୍ତି ବାଲିଯାତ୍ରା ସହ ସେମାନଙ୍କର ଅନେକ ଅଭୁଲା ସ୍ମୃତି ରହିଛି। ସେହି ସ୍ମୃତିର ଭାଷାକୁ ନେଇ ପ୍ରସ୍ତୁତ ହୋଇଛି ଏହି ବାଲିଯାତ୍ରା ଗୀତ। ଏହା ମାଧ୍ୟମରେ ଆମେ କଟକି ଛୁଙ୍କମରା ବାଲିଯାତ୍ରାର କଥା ସହ ବାଲିଯାତ୍ରାକୁ ବୁଲିବାକୁ ଆସୁଥିବା ବିଭିନ୍ନ ଭାଷାଭାଷୀ ଲୋକମାନଙ୍କ ଦୃଶ୍ୟପଟରେ ବାଲିଯାତ୍ରାର କଥା କହିବାକୁ ଚେଷ୍ଟା କରିଛୁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଅଭିନେତା କୁନା ତ୍ରିପାଠୀ।

ବାଲିଯାତ୍ରାକୁ ନେଇ ନିଜ ମନର କଥା କହିବାକୁ ଯାଇ ସେ ଆହୁରି ମଧ୍ୟ କହିଛନ୍ତି, “ଇତିହାସରୁ ଜଣାଯାଏ ଓଡ଼ିଶା କେବଳ ଏକ କୃଷି ସମୃଦ୍ଧ ରାଜ୍ୟ ଥିଲା ତାହା ନୁହେଁ, ବ୍ୟବସାୟ ବାଣିଜ୍ୟରେ ମଧ୍ୟ ବେଶ୍ ସମୃଦ୍ଧ ଥିଲା ଆମ ଓଡ଼ିଶା। ରାଜ୍ୟର ଏହି ଗୌରବମୟ ଇତିହାସକୁ ମନେ ପକାଇଦିଏ ବାଲିଯାତ୍ରା। ହେଲେ ପ୍ରାୟ ଲୋକେ ଏବେ କେବଳ ଚାକିରି ପଛରେ ଧାଉଁଛନ୍ତି। ତେଣୁ ସବୁବେଳେ ଚାକିରି ପଛରେ ନ ଦୌଡ଼ି ଅନ୍ତ୍ରୋପିନିୟର ବା ଉଦ୍ୟୋଗୀଟିଏ ହେବାର ମନୋଭାବ ଆଣିପାରିଲେ ପୁଣିଥରେ ଓଡ଼ିଶାର ପୂର୍ବ ଗୌରବ ଫେରାଇ ଆଣିହେବ।”

କଣ୍ଠଶିଳ୍ପୀ ନମ୍ରତା ମହାନ୍ତିଙ୍କ ପ୍ରଯୋଜନାରେ ସିମ୍ଫୋନି ମ୍ୟୁଜିକ୍ ଚ୍ୟାନେଲରେ ପ୍ରସାରିତ ଏହି ଗୀତଟିକୁ ଲେଖିଛନ୍ତି ଗୀତିକାର ଗୌରବ କୁମାର ପଣ୍ଡା। ଯୁବ ସଙ୍ଗୀତ ନିର୍ଦ୍ଦେଶକ ବାରିଶ ବିଶ୍ଵଜିତ ମିଶ୍ରଙ୍କ ସ୍ଵର ସଂଯୋଜନାରେ କଣ୍ଠଶିଳ୍ପୀ ନମ୍ରତା ମହାନ୍ତି, ବାରିଶ ବିଶ୍ଵଜିତ, ସତ୍ୟବ୍ରତ ମଲ୍ଲିକ ଏବଂ ଦେବାଶିଷ ସିହ୍ନା ଗୀତରେ କଣ୍ଠଦାନ କରିଛନ୍ତି।ଆସିଗଲା ବାଲିଯାତ୍ରା ଗୀତରେ ପ୍ରମୁଖ ଆକର୍ଷଣ ସାଜିଛନ୍ତି ଆଉ ଜଣେ ଖାଣ୍ଟି କଟକିଆ ତଥା ଅଭିନେତା କୁନା ତ୍ରିପାଠୀ। ବାଲିଯାତ୍ରାର ଇତିହାସ ଓ ପରମ୍ପରା, ଯାତ୍ରା ପଡ଼ିଆରେ ଖୋକା ଭାଇଙ୍କ ଗୀତରେ ଛୁମିବା, ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚ ତଳେ ବସି ଉତ୍କଳୀୟ ସଂସ୍କୃତିକୁ ଉପଭୋଗ କରିବା, ଭିଡ଼ ଭିତରେ କହୁଣୀ ଠେସା ଖାଇ ସାଙ୍ଗସାଥୀଙ୍କ ସହ ବାଲିଯାତ୍ରା ବୁଲିବା ଆଉ ଗୋଟିଏ ଯାଗାରେ ରାଜ୍ୟ ତଥା ରାଜ୍ୟ ବାହାରର ନୂଆ ନୂଆ ମୁହଁ ସହ ମିଶିବା ଭଳି କଟକ ବାଲିଯାତ୍ରାର ନିଖୁଣ ଦୃଶ୍ୟସବୁକୁ ଗୀତରେ ଗାଇ ଶୁଣାଇଛନ୍ତି କୁନା ତ୍ରିପାଠୀ।

ଏଥିସହ ଦିପ୍ତୀମାନ ଷଡ଼ଙ୍ଗୀ, ଅନିରୁଦ୍ଧ ଧଳ, ନବନୀତ ନାୟକ ଏବଂ ରାଜେଶ ମହାନ୍ତି ପ୍ରମୁଖ ଏହି ଗୀତ ପ୍ରସ୍ତୁତିର ବିଭିନ୍ନ ଟେକ୍ନିକାଲ୍ ଦିଗରେ କାର୍ଯ୍ୟ କରିଛନ୍ତି।

ଏହି ଲିଙ୍କ୍‌ରେ କ୍ଲିକ୍ କରି ଶୁଣନ୍ତୁ ‘ଆସିଗଲା ବାଲିଯାତ୍ରା’ ଗୀତ।

Tags: #Balijatra #Cuttack #Balijatra2022 #AsigalaBalijatra #OdishaMaritimeHistory #Boita #ବାଲିଯାତ୍ରା #କଟକ

Comment