ଓଡ଼ିଶାଲାଇଭ୍ ବ୍ୟୁରୋ 

ଓଡ଼ିଶାର ଅଗ୍ରଣୀ ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ ‘କିଓର ବେ’ ଏହାର  ପ୍ରଥମ ବା ସିରିଜ-ଏ ନିବେଶ ଭାବେ ୫୦ କୋଟି ଟଙ୍କା ପାଇଛି। ଏଲେଭର ଇକ୍ଵିଟି ଏହି ନିବେଶ କରିଛି। ଏହି ନିବେଶ ଯୋଗୁଁ ‘କିଓର ବେ’ ଆସନ୍ତା ବର୍ଷକ ଭିତରେ ଭାରତର ବିଭିନ୍ନ ସ୍ଥାନରେ ୮୫ଟି ଇ-କ୍ଲିନିକ ଖୋଲିବା ସହ ନିଜର ସେବାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛି।

ଓଡ଼ିଶାର ବିଭିନ୍ନ ଗାଁ ଗହଳି ଓ ଚିକିତ୍ସା ସୁବିଧା ପାଇପାରୁନଥିବା ଅଞ୍ଚଳମାନଙ୍କରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଦିଗରେ ଏହି ଷ୍ଟାର୍ଟଅପ କାର୍ଯ୍ୟ କରୁଛି।ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ‘କିଓର ବେ’ ପକ୍ଷରୁ ୧୫ଟି ଇ-କ୍ଲିନିକ ପ୍ରତିଷ୍ଠା କରାଯାଇଛି। ଏହା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା  ୧୦ ହଜାରରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା  ଯୋଗାଇ ଦିଆଯାଇଛି।

‘‘ଭାରତର ବିଭିନ୍ନ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ‘କିଓର ବେ’ ଏକ ଅଭିଯାନ ଆରମ୍ଭ କରିଛି। ଏଥିରେ ଏଲେଭର ଇକ୍ଵିଟି ସହଯୋଗର ହାତ ବଢ଼ାଇଛି। ଏହା ଫଳରେ ‘କିଓର ବେ’ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଉଚ୍ଚତାକୁ ଯାଇ ପାରିବ’’, କହିଛନ୍ତି ‘କିଓର ବେ’ର ସିଇଓ ତଥା ସହ-ପ୍ରତିଷ୍ଠାତା ପ୍ରିୟଦର୍ଶୀ ମହାପାତ୍ର। 

୨୦୨୧ ମସିହାରୁ ଓଡ଼ିଶାରେ ‘କିଓର ବେ’ ଷ୍ଟାର୍ଟଅପ ନିଜର ସେବା ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଇ-କ୍ଲିନିକ ସ୍ଥାପନ କରି ସ୍ଥାନୀୟ ଅଞ୍ଚଳର ରୋଗୀମାନଙ୍କୁ ସହରରେ ଥିବା ଡାକ୍ତରମାନଙ୍କ ସହ ଟେଲି-କନସଲଟେସନ ମାଧ୍ୟମରେ ଯୋଡ଼ି ଆବଶ୍ୟକ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଉଛି। ରୋଗୀମାନଙ୍କର ନମୁନା ସଂଗ୍ରହ କରିବା ଏବଂ ଏହାକୁ ସହରରେ ଥିବା ଲାବୋରେଟୋରିରେ ପରୀକ୍ଷା କରି ସଠିକ ସମୟରେ ସଂପୃକ୍ତ ରିପୋର୍ଟକୁ ରୋଗୀମାନଙ୍କ ପାଖରେ ପହଞ୍ଚାଇବାରେ ଏହି ଷ୍ଟାର୍ଟଅପ୍‌ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି।

ତା’ଛଡ଼ା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରୋଗୀମାନଙ୍କ ପାଖରେ ଔଷଧ ପହଞ୍ଚାଇବା ସହିତ ଆବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛି ଏହି ହେଲଥ ଟେକ୍‌ ଷ୍ଟାର୍ଟଅପ୍‌।

ବର୍ତ୍ତମାନ ୫୦ କୋଟି ଟଙ୍କାର ନିବେଶ ଫଳରେ ‘କିଓର ବେ’ କମ୍ପାନିରେ ଅଧିକ ନିଯୁକ୍ତି ସୁଯୋଗ ସୁଷ୍ଟି ହୋଇପାରିବ। ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟଅପର ବର୍ତ୍ତମାନ ସହ-ପ୍ରତିଷ୍ଠାତା ଅଛନ୍ତି ପ୍ରିୟଦର୍ଶୀ ମହାପାତ୍ର, ଶୋଭନ ମହାପାତ୍ର ଏବଂ ସଞ୍ଜୟ ସ୍ଵାଇଁ। ଏହି କମ୍ପାନି ଆରମ୍ଭ କରିବା ପୂର୍ବରୁ ପ୍ରିୟଦର୍ଶୀ ମହାପାତ୍ର ବିଦେଶରେ ଆଇ ଟି ସେକ୍ଟରରେ କାର୍ଯ୍ୟରତ ଥିଲେ।

Tags: #HealthCare #HealthTech #StartupCompany #CureBay #Investment #OdishaStartup

Comment