ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସମାନଙ୍କୁ ‘ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ’ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ମସିହା ପାଇଁ ଏହି ସମ୍ମାନଜନ ଉପାଧି ପ୍ରଦାନ କରିଛନ୍ତି। ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ ୫୧ ଜଣ ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ ସମ୍ମାନ ପାଇଥିବାବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ଓଡ଼ିଆ।

ଏହି ସମ୍ମାନ ପାଇଥିବା ତିନି ଓଡ଼ିଆ ହେଲେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାର ସେବିକା ଖୁଲଣା ବାରିକ, ବ୍ରହ୍ମପୁର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ ଓ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଏଏନ୍ଏମ୍ ଦମୟନ୍ତୀ ରାଉତ। 

ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ସସେବିକାମାନଙ୍କୁ ଚୟନ କରାଯାଇ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ବ୍ରିଟିଶ ନର୍ସ ଫ୍ଲୋରେନ୍ସ ନାଇଟାଙ୍ଗଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୭୩ ମସିହାରୁ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି।

ନାଇଟାଙ୍ଗଲ ସମ୍ମାନ ପାଇଥିବା ଓଡ଼ିଶାର ୩ ଜଣ ସେବିକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

#NationalFlorenceNightingaleAwards2021 #Nurses #Odisha Nurses #RashtrapatiBhavan #PresidentOfIndia #DraupadiMurmu

Comment