ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୬ ଜଣ ହତ୍ୟାକାରୀ। ଏ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଦୋଷୀଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନଥିବ ତେବେ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇପାରିବ।

ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ, ଦୀର୍ଘ ସମୟ ଧରି ରାଜ୍ୟପାଳ ଏହି ପଦକ୍ଷେପ ଗ୍ରହଣ କରିନଥିବାରୁ କୋର୍ଟଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ପେରାରିଭଲନ ଜେଲରୁ ମୁକୁଳି ଥିବାରୁ ଏହି ଆଦେଶ ଅନ୍ୟ ଦୋଷୀମାନଙ୍କ ଉପରେ ମଧ୍ୟ ଲାଗୁ ହେବ। ଏହା ପୂର୍ବରୁ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭଲନଙ୍କୁ ଜେଲ ମୁକୁଳିବା ଲାଗି ଗତ ମେ’ ମାସରେ ଆଦେଶ ମିଳିଥିଲା।

ମୁକୁଳିବେ ୬ ହତ୍ୟାକାରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ, ରବିଚନ୍ଦ୍ରନ, ମୁରୁଗନ, ସନ୍ଥନ, ଜୟକୁମାର ଏବଂ ରବର୍ଟ ପାୟସ ଜେଲରୁ ମୁକୁଳିବେ। ୩୦ ବର୍ଷ ଧରି ସମସ୍ତେ ଜେଲରେ ଅଛନ୍ତି। ଗତ ମେ’ ୧୮ ତାରିଖରେ କାରାଦଣ୍ଡ ସମୟରେ ବ୍ୟବହାରରେ ପରିବର୍ତ୍ତନକୁ ଦେଖି ପେରାରିଭଲନଙ୍କୁ ମୁକୁଳିବାକୁ ଆଦେଶ ମିଳିଥିଲା। ଜଷ୍ଟିସ ଏଲ ନାଗେଶ୍ଵରଙ୍କ ବେଞ୍ଚ ଏହି ଆଦେଶ ଦେଇଥିଲେ।

୩୧ ବର୍ଷ ପୂର୍ବେ ହୋଇଥିଲା ରାଜୀବ ଗାନ୍ଧୀଙ୍କ ହତ୍ୟା

୧୯୯୧ ମସିହା ମେ’ ୨୧ ତାରିଖରେ ଏକ ନିର୍ବାଚନ ପ୍ରଚାର ସମୟରେ ଆତତାୟୀଙ୍କ ହତ୍ୟାର ଶିକାର ହୋଇଥିଲେ ରାଜୀବ ଗାନ୍ଧୀ। ଜନଗହଳିପୂର୍ଣ୍ଣ ସ୍ଥାନରେ ଆତ୍ମଘାତୀ ଆକ୍ରମଣରେ ଖଣ୍ଡବିଖଣ୍ଡିତ ହୋଇପଡ଼ିଥିଲା ରାଜୀବ ଗାନ୍ଧୀଙ୍କ ଶରୀର। ସେତେବେଳେ ଗଣମାଧ୍ୟମର ପ୍ରଭାବ ଏତେ ନଥଲେ ମଧ୍ୟ ଟିଭି ଏବଂ ରେଡିଓରେ ରାଜୀବ ଗାନ୍ଧୀଙ୍କ ହତ୍ୟା ଖବର ଶୁଣି ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ଏହି ଆକ୍ରମଣ ସମୟରେ ରାଜୀବ ଗାନ୍ଧୀଙ୍କ ସମେତ ୧୮ ଜଣ ପ୍ରାଣ ହରାଇଥିଲେ।

ଏହି ହତ୍ୟାକାଣ୍ଡରେ ମୋଟ ୪୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୩ ଜଣ ପ୍ରଭାକରଣ, ପୋଟ୍ଟୁ ଓମ୍ମାନ ଏବଂ ଅକିଲା ଫେରାର ହୋଇଯାଇଥିଲେ। ବାକି ୨୬ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଦୋଷୀଙ୍କ ମଧ୍ୟରେ କିଛି ଶ୍ରୀଲଙ୍କାର ଓ କିଛି ଭାରତୀୟ ଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଟାଡା ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସାତ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଆଇଗତ କାର୍ଯ୍ୟାନୁଷ୍ଠାନ ପରେ ୧୯୯୮ ମସିହା ଜାନୁଆରି ୨୮ ତାରିଖରେ ଟାଡା କୋର୍ଟ ହଜାରେ ଫର୍ଦ୍ଦର ରାୟ ପ୍ରଦାନ କରିଥିଲେ। ସମସ୍ତ ୨୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ କୋର୍ଟ।

ପୂର୍ବରୁ ୧୯ ଜଣ ହତ୍ୟାକାରୀ ଜେଲରୁ ମୁକୁଳିଛନ୍ତି

ଟାଡା କୋର୍ଟରେ ୨୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କାରଣ ଟାଡା କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ଗୋଟିଏ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ତିନିଜଣ ଜଜଙ୍କ ବେଞ୍ଚ ଏହି ପୂରା ନିଷ୍ପତ୍ତିକୁ ଓଲଟାଇ ଦେଇଥିଲେ। ପରେ ୨୬ ଜଣଙ୍କ ମଧ୍ୟରୁ ୧୯ ଜଣଙ୍କୁ ମୁକ୍ତ କରାଯାଇଥିଲା। ମାତ୍ର ୭ ଜଣ ଦୋଷୀଙ୍କର ଫାଶୀ ଆଦେଶ ବଳବତ୍ତର ରହିଥିଲା। ପରେ ଏହାକୁ ପରିବର୍ତ୍ତନ କରାଯାଇ ଆଜୀବନୀ ଜେଲଦଣ୍ଡ କରାଯାଇଥିଲା। ଏହି ୬ ଜଣ ଦୋଷୀ ୩୦ ବର୍ଷ ହେଲା ଜେଲଦଣ୍ଡ ଭୋଗୁଛନ୍ତି।

Tags: #Politics #Politician #Murder #RajivGandhiMurderCase #Convict

Comment