ଆଶିଷ କୁମାର ରାୟ

ବିଶ୍ଵ ହକି ମାନଚିତ୍ରରେ ଯେଉଁ କେତେଜଣ ଖେଳାଳି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ଅନ୍ୟତମ ଭାରତୀୟ ହକିର ଓ୍ଵାଲ୍ (ପ୍ରାଚୀର) ଭାବେ ପରିଚିତ ଦିଲ୍ଲୀପଙ୍କ କୃତୀ ଓଡ଼ିଶାକୁ ଗୌରବାନ୍ଵିତ କରିଛି

ହକି ହେଉଛି ଆମର ଜାତୀୟ ଖେଳ। ଯଦି ଭାରତୀୟ ହକି କଥା ଉଠେ, ପ୍ରଥମେ ଆସେ ଓଡ଼ିଶାର ନାଁ। କାରଣ ଭାରତୀୟ ହକିକୁ ଓଡ଼ିଶାର ବେଶ୍ ଅବଦାନ ରହିଛି। ବିଶେଷକରି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା। ଏହାକୁ ହକିର ଗଡ଼ କୁହାଯାଏ। କାହିଁକି ନା ସୁନ୍ଦରଗଡ଼ ଜିଲ୍ଲାର ଜନ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଏହି ଖେଳଟି। ଏଠାକାର ବଣ ପାହାଡ଼ଘେରା ଆଦିବାସୀ କ୍ଷେତ୍ରରୁ ପ୍ରାୟ ପଚାଶରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ହକିରେ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ଏବଂ ଏବଂ ଗୌରବ ମଧ୍ୟ ଆଣିଛନ୍ତି। ସେମାନଙ୍କ ମଧ୍ୟରେ ଯେଉଁ ତାରକା ଜଣକ ସର୍ବାଧିକ ଯଶ ଓ ସମ୍ମାନ ଲାଭ କରିଛନ୍ତି, ସେ ଦିଲ୍ଲୀପ ତିର୍କୀ।

ଦିଲ୍ଲୀପ ତିର୍କୀ ଯେ ଆମ ରାଜ୍ୟର ସର୍ବଶ୍ରେଷ୍ଠ କ୍ରୀଡ଼ାବିତ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ। ହକି ଜଗତର ଜଣେ ସୁନାମଧନ୍ୟ ରକ୍ଷଣ ଭାଗ ଖେଳାଳି ଭାବେ ତାଙ୍କର ପ୍ରସିଦ୍ଧି ସର୍ବଜନ ବିଦିତ। କେବଳ ହକି ଖେଳ କାହିଁକି, ଅନ୍ୟ ସମସ୍ତ ଖେଳର ଅନ୍ତର୍ଜାତୀୟ ସଫଳତାର ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଶାର ଅନ୍ୟ କୌଣସି ଖେଳାଳି ତାଙ୍କ ସମକକ୍ଷ ନୁହନ୍ତି।ନୈସର୍ଗିକ ପ୍ରତିଭାର ଅଧିକାରୀ

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ସଉନାମରା ନାମକ ଏକ ଅଖ୍ୟାତ ପଲ୍ଲୀରେ ଦିଲ୍ଲୀପଙ୍କର ଜନ୍ମ। ୨୫ ନଭେମ୍ବର ୧୯୭୭ରେ ପିତା ଭିନସେଣ୍ଟ ତିର୍କୀ ଓ ମାତା ରେଜିନାଙ୍କ କୋଳମଣ୍ଡନ କରିଥିବା ଦିଲ୍ଲୀପ ଥିଲେ ନୈସର୍ଗିକ ପ୍ରତିଭାର ଅଧିକାରୀ। ପିଲାଟି ବେଳୁ ଦିଲ୍ଲୀପଙ୍କର ହକି ଖେଳ ପ୍ରତି ଥିବା ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ଭବିଷ୍ୟତରେ ପ୍ରସିଦ୍ଧିର ଶିଖରରେ ପହଁଚାଇ ଦେଇଥିଲା। ତାଙ୍କ ପିତା ଥିଲେ ଜଣେ ରାଜ୍ୟସ୍ତରର ହକି ଖେଳାଳି ଏବଂ ସେ ହିଁ ପ୍ରଥମେ ଦିଲ୍ଲୀପ ହାତରେ ଧରାଇ ଦେଇଥିଲେ ହକି ଷ୍ଟିକ୍‌ଟିଏ।

୧୯୮୯ରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ୱାରା କ୍ରୀଡ଼ା ଛାତ୍ରାବାସ ଯୋଜନାରେ ଖୁବ୍ କମ ବୟସରୁ ଦିଲ୍ଲୀପଙ୍କ ଚୟନ ହୋଇଗଲା। ଏହାପରେ ସଉନାମରାରୁ ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସ, ପରେ ଦିଲ୍ଲୀରେ ନେହେରୁ ହକି ପ୍ରତିଯୋଗିତା, ତା’ପରେ ଭାରତୀୟ ଜୁନିୟର ଦଳର ସଦସ୍ୟତା – ଏସବୁ ଘଟଣା ଖୁବ କମ ସମୟ ମଧ୍ୟରେ ଘଟିଗଲା।

୧୯୯୪ରେ ପ୍ରଥମକରି ଦିଲ୍ଲୀପ ଭାରତୀୟ ଜୁନିୟର ଦଳରେ ସାମିଲ ହୋଇଥିଲେ। ଜୁନିୟର ଦଳରେ ଖେଳିବାର ଗୋଟିଏ ବର୍ଷ ପରେ ୧୯୯୫ରେ ଦିଲ୍ଲୀରେ ଅନୁଷ୍ଠିତ ଇନ୍ଦିରା ଗାନ୍ଧୀ ସ୍ୱର୍ଣ୍ଣ କପ ହକି ପ୍ରତିଯୋଗିତା ଅବସରରେ ସିନିୟର ଦଳରେ ଖେଳିବାର ସୁଯୋଗ ମିଳିଥିଲା। ରକ୍ଷଣ ଭାଗର ଖେଳାଳି ବା ଡିଫେଣ୍ଡର ଭାବେ ଦଳରେ ତାଙ୍କର ଚମତ୍କାରିତା ପ୍ରଦର୍ଶନ ଯୋଗୁଁ କ୍ରୀଡ଼ା ଜୀବନର ପ୍ରାରମ୍ଭରୁ ହିଁ ସେ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ବନିଯାଇଥିଲେ।ଓଡ଼ିଶାର ପ୍ରଥମ ଅଲିମ୍ପିଆନ୍ 

୧୯୯୬ରେ ଦିଲ୍ଲୀପଙ୍କ କ୍ରୀଡ଼ା ଜୀବନ ଏକ ନୂଆ ମୋଡ଼ ନେଲା। ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଅନୁଷ୍ଠିତ ଅଲିମ୍ପିକ୍ସ ସକାଶେ ସେ ଭାରତୀୟ ଦଳରେ ସାମିଲ ହେଲେ। ଅଲିମ୍ପିକ୍ସର କ୍ରୀଡ଼ାଙ୍ଗନରେ ଅବତୀର୍ଣ୍ଣ ହେବା ନିମନ୍ତେ ଦିଲ୍ଲୀପଙ୍କୁ ଯେତେବେଳେ ଭାରତୀୟ ଦଳରେ ନିଆଗଲା ସେତେବେଳେ ତାଙ୍କ ବୟସ ଥିଲା ୧୮ବର୍ଷ ୮ମାସ। ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଭାବେ ପରିଚିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଦିଗରେ ସେ ଥିଲେ ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ।

ଏହାପରେ ୨୦୦୦ର ସିଡନୀ ଓ ୨୦୦୪ର ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏତଦ୍‌ ବ୍ୟତୀତ ୧୯୯୮ରେ ନେଦରଲାଣ୍ଡସ୍‌ର ୟୁଟ୍ରେକ୍ଟ, ୨୦୦୨ରେ ମାଲେସିଆର କ୍ଵାଲାଲୁମ୍ପୁର ଏବଂ ୨୦୦୬ରେ ଜର୍ମାନୀର ମୁଞ୍ଚେନ୍ ଗ୍ଲାଡବାକ୍‌ରେ ଆୟୋଜିତ କ୍ରମାଗତ ତିନିଟି ବିଶ୍ୱକପ୍ ସମେତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଛନ୍ତି।

ଦ ଇଣ୍ଡିଆନ୍ ଡିଫେଣ୍ଡର         

ହକି କ୍ୟାରିୟରର ଆରମ୍ଭରୁ ଦିଲ୍ଲୀପ ମୁଖ୍ୟତଃ ଫରଓ୍ଵାର୍ଡ ପୋଜିସନ୍‌ରେ ଖେଳୁଥିଲେ। ପରବର୍ତ୍ତୀ ସମୟରେ କୋଚ୍‌ଙ୍କ ପରାମର୍ଶ କ୍ରମେ ଡିଫେଣ୍ଡିଂ ପୋଜିସନ୍‌କୁ ଆସିଥିଲେ ଦିଲ୍ଲୀପ। ସବୁଠାରୁ ବଡ଼କଥା ହେଉଛି ଫରଓ୍ଵାର୍ଡ ଛାଡ଼ି ଡିଫେଣ୍ଡର ବନିଥିବା ଦିଲ୍ଲୀପଙ୍କ ଡିଫେଣ୍ଡିଂ ଗେମ୍ ମଧ୍ୟ ଏତେ ଚମତ୍କାର ଥିଲା ଯେ, ତାଙ୍କୁ ଅତିକ୍ରମ କରି ଗୋଲପୋଷ୍ଟ ପର୍ଯ୍ୟନ୍ତ ବଲ୍ ପହଞ୍ଚାଇବା ବିପକ୍ଷ ଦଳର ଖେଳାଳିଙ୍କ ପାଇଁ ସମ୍ଭବ ହେଉନଥିଲା। ଭାରତୀୟ ହକିର ରକ୍ଷା ପ୍ରାଚୀର କୁହାଯାଉଥିବା ଦିଲ୍ଲୀପଙ୍କ ଡିଫେଣ୍ଡିଂରେ ତାଙ୍କୁ ସାଥ୍ ଦେବାକୁ ଆଗକୁ ଆସିଥିଲେ ଆଉଜଣେ ଓଡ଼ିଆ ହକି ତାରକା ଲାଜରୁସ୍ ବାର୍ଲା। ନବେ ଦଶକର ଶେଷ ଭାଗ ଆଡ଼କୁ ଦିଲ୍ଲୀପ-ଲାଜରୁସ୍‌ଙ୍କ ଯୋଡ଼ିକୁ ବିଶ୍ଵର ଶ୍ରେଷ୍ଠ ଡିଫେଣ୍ଡର ଯୋଡ଼ିର ମାନ୍ୟତା ମିଳିଥିଲା।

ଅଲିମ୍ପିକ୍ସ ପଦାର୍ପଣ ପରେ ୧୯୯୭ରେ ଇଂଲଣ୍ଡର ମିଲଟନ୍‌କେନ୍ସଠାରେ ଅନୁଷ୍ଠିତ ଜୁନିୟର ବିଶ୍ୱକପରେ ଦିଲ୍ଲୀପ ତିର୍କୀ ଏବଂ ଲାଜରୁସ୍‌ ବାର୍ଲାଙ୍କ ଚମତ୍କାର ଡିଫେଣ୍ଡି ଭାରତ ରୌପ୍ୟ ପଦକ ବିଜୟୀ କରିଥିଲା। ସେହିପରି ନେଦରଲାଣ୍ଡସ୍‌ର ୟୁଟ୍ରେକ୍ଟରେ ଆୟୋଜିତ ୧୯୯୮ର ସିନିୟର ହକି ବିଶ୍ୱକପ୍, ୧୯୯୮ର ବ୍ୟାଙ୍କକ ଏସିଆଡ୍ ତଥା ୨୦୦୦ ମସିହାର ସିଡନୀ ଅଲିମ୍ପିକ୍‌ରେ ମଧ୍ୟ ଦିଲ୍ଲୀପ ଓ ଲାଜରୁସ୍‌ଙ୍କ ଯୋଡ଼ି ଦଳର ରକ୍ଷଣ ଭାଗକୁ ସମ୍ଭାଳି ଥିଲେ। ସେ ସମୟରେ ଦିଲ୍ଲୀପ ଓ ଲାଜାରୁସ୍‌ଙ୍କ ଯୋଡ଼ି ଥିଲା ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର୍ ଯୋଡ଼ି। ଦିଲ୍ଲୀପଙ୍କ କୃତିତ୍ୱ

ଦିଲ୍ଲୀପ ତିର୍କୀ କେବଳ ଯେ ଓଡ଼ିଶାର ପ୍ରଥମ ଅଲିମ୍ପିଆନ୍ ତାହା ନୁହେଁ, ଜାତୀୟ ସିନିୟର ଦଳର ଅଧିନାୟକତ୍ୱ କରିବାରେ ସେ ମଧ୍ୟ ପ୍ରଥମ ଓଡ଼ିଆ। ଏତଦ୍‌ବ୍ୟତୀତ ତିନିଟି ଅଲିମ୍ପିକ୍‌, ତିନିଟି ବିଶ୍ୱକପ୍ ତଥା ତିନିଟି ଏସିଆଡ୍‌ରେ ପ୍ରତିନିଧିତ୍ୱ କରିବାରେ ସେ ମଧ୍ୟ ହେଉଛନ୍ତି ଭାରତର ଏକମାତ୍ର ଆଦିବାସୀ ଖେଳାଳି।

୧୯୯୮ର ଏସିଆଡ୍‌ରେ ସ୍ୱର୍ଣ୍ଣ, ୨୦୦୩ ଏବଂ ୨୦୦୭ର ଏସିଆ କପ ହକିରେ ସ୍ୱର୍ଣ୍ଣ ତଥା ୨୦୦୩ରେ ହାଇଦ୍ରାବାଦରେ ଅନୁଷ୍ଠିତ ଆଫ୍ରୋ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ଦିଲ୍ଲୀପଙ୍କ ଖେଳାଳି ଜୀବନର ପ୍ରମୁଖ ସଫଳତା। ୨୦୦୩ର ଆଫ୍ରୋ ଏସୀୟ କ୍ରୀଡ଼ା ଓ ୨୦୦୨ର ବୁସାନ୍‌ ଏସିଆଡରେ ରୌପ୍ୟ ପଦକ ବିଜୟୀ ଦଳର ସେ ଥିଲେ ଅଧିନାୟକ।

ଏତଦ୍‌ବ୍ୟତୀତ ୨୦୦୨ରେ ଜର୍ମାନୀର କୋଲୋନ୍‌ଠାରେ ଅନୁଷ୍ଠିତ ଚାମ୍ପିଆନ୍ସ ଟ୍ରଫି, ୨୦୦୪ରେ ପାକିସ୍ତାନର ଲାହୋରରେ ଅନୁଷ୍ଠିତ ଚାମ୍ପିଆନ୍ସ ଟ୍ରଫି ଏବଂ ୨୦୦୪ର ଏଥେନ୍ସ ଅଲିମ୍ପିକ୍‌, ୨୦୦୬ର ମୁଞ୍ଚେନ୍ ଗ୍ଲାଡବାକ୍‌ ବିଶ୍ୱକପ୍ ତଥା ଅନ୍ୟ କେତେକ ମ୍ୟାଚରେ ମଧ୍ୟ ଦିଲ୍ଲୀପ ତିର୍କୀ ଅଧିନାୟକ ଦାୟିତ୍ୱ ବହନ କରିଥିଲେ। ଅଲିମ୍ପିକ୍‌ର ହକି ପ୍ରତିଯୋଗିତା, ବିଶ୍ୱକପ, ଚାମ୍ପିଆନ୍ସ ଟ୍ରଫି ତଥା ଏସିଆଡ୍‌ ଭଳି ପ୍ରତିଯୋଗିତାରେ ଦେଶର ନେତୃତ୍ୱ ନେବା ନିଶ୍ଚିତ ଭାବେ ଏକ ବହୁତ ବଡ଼ ସମ୍ମାନ।ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ

ଦିଲ୍ଲୀପ ତିର୍କୀ ଥିଲେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଦେଶର ଅନେକ ଯୁବ ଖେଳାଳି ତାଙ୍କର କୃତିତ୍ୱରୁ ଯଥେଷ୍ଟ ପ୍ରେରଣା ନେଇଥାନ୍ତି। ବିଶେଷକରି ତାଙ୍କରି ପଦାଙ୍କ ଅନୁସରଣ କରି ପରବର୍ତ୍ତୀ ସମୟରେ ଆମ ରାଜ୍ୟର ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ୱିଲିୟମ ଖାଲକୋ, ରୋଷନ ମିଞ୍ଜ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ, ଶିଳାନନ୍ଦ ଲାକ୍ରା, ନୀଲମ ସଂଜୀପ ଖେସ୍ ଆଦି ମଧ୍ୟ ଭାରତ ପାଇଁ ଖେଳିବାର ଗୌରବ ହାସଲ କରିଛନ୍ତି। ସେହିଭଳି ଭାରତୀୟ ମହିଳା ଦଳ ପାଇଁ ଖେଳିଥିବା ସୁଭଦ୍ରା ପ୍ରଧାନ, ବିନୀତା ଟୋପ୍ପୋ, ନମିତା ଟୋପ୍ପା, ମୁକ୍ତାପ୍ରଭା ବାର୍ଲା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା ଆଦି ମଧ୍ୟ ଦିଲ୍ଲୀପ ତିର୍କୀଙ୍କୁ ନିଜର ଆଦର୍ଶ ମାନନ୍ତି।

ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍

୨ ମେ ୨୦୧୦ରେ ଜଣେ ଖେଳାଳି ଭାବେ କ୍ରୀଡ଼ା ଜଗତରୁ ଅବସର ଘୋଷଣା ପୂର୍ବରୁ ଦିଲ୍ଲୀପ ତିର୍କୀ ଦେଶ ପାଇଁ ୪୧୨ଟି  ମ୍ୟାଚରେ ଅଂଶଗ୍ରହଣ କରିସାରିଥିଲେ, ଯାହାକି ସେ ସମୟରେ ଥିଲା ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚର ବିଶ୍ୱ ରେକର୍ଡ। ପରବର୍ତ୍ତୀ ସମୟରେ ଏହି ରେକର୍ଡକୁ ନେଦରଲାଣ୍ଡଦ୍‌ସର ଟିଉନ୍‌ଡି ନୁୟର ଏବଂ ଇଂଲଣ୍ଡର ବ୍ୟାରୀ ମିଡିଲ୍‌ଟନ୍ ଅତିକ୍ରମ କରିଯାଇଥିଲେ ହେଁ ଏହା ଏବେ ବି ଭାରତୀୟ ହକିର ସର୍ବାଧିକ ରେକର୍ଡ ହୋଇ ରହିଛି।ପୁରସ୍କାର ଓ ସମ୍ମାନ

କ୍ରୀଡ଼ା କ୍ଷେତ୍ରରେ ନିଜର ଅସାଧାରଣ ଯୋଗଦାନ ସକାଶେ ଦିଲ୍ଲୀପ ତିର୍କୀ ଅନେକ ପୁରସ୍କାର ଓ ସମ୍ମାନର ମଧ୍ୟ ଅଧିକାରୀ ହୋଇଛନ୍ତି। ଇମ୍ଫା ପକ୍ଷରୁ ୧୯୯୬ରେ ଏକଲବ୍ୟ ପୁରସ୍କାର ତଥା ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୦୪ରେ ତାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୨୦୦୨ରେ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ‘ଅର୍ଜୁନ’ ପୁରସ୍କାର ଏବଂ ୨୦୦୪ରେ ଭାରତ ସରକାରଙ୍କ ପକ୍ଷରୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଦିଲ୍ଲୀପ ତିର୍କୀ। କ୍ରୀଡ଼ା ଜଗତକୁ ବିଶେଷ ଅବଦାନ ଲାଗି ୨୦୧୧ରେ ଦିଲ୍ଲୀପଙ୍କୁ ମିଳିଛି ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ।

କ୍ରୀଡ଼ା କ୍ଷେତ୍ରରେ ସଫଳ ଇନିଙ୍ଗ୍‌ସ ଖେଳିବା ପରେ ରାଜନୀତିରେ ମଧ୍ୟ କିଛି ସଫଳତା ହାସଲ କରିଛନ୍ତି ଦିଲ୍ଲୀପ ତିର୍କୀ। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ସାଂସଦ ରହିଥିଲେ। ଏହି ସମୟରେ ଓଡ଼ିଶାରେ ହକିର ବିଶେଷ ବିକାଶ ମଧ୍ୟ ହୋଇଛି। ୨୦୧୮ରେ ପୁରୁଷ ହକି ବିଶ୍ଵକପ୍ ଭଳି ଏକ ମେଗା ଇଭେଣ୍ଟର ସଫଳ ଆୟୋଜନ କରିପାରିଛି ଓଡ଼ିଶା, ଆଗକୁ ୨୦୨୩ରେ ପୁଣିଥରେ ରାଜ୍ୟରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ୍।

ଏସବୁ ବାଦ୍ ନିକଟରେ ଦିଲ୍ଲୀପ ତିର୍କୀ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ପ୍ରଥମ ହକି ଖେଳାଳି ଭାବେ ଭାରତୀୟ ହକି ଫେଡେରେସନ ‘ହକି ଇଣ୍ଡିଆ’ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ। ଏଥିସହ ସେ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍‌ର ଅଧ୍ୟକ୍ଷ ଏବଂ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ମଧ୍ୟ ରହିଛନ୍ତି।

(ଲେଖକ ବୃତ୍ତିରେ ଜଣେ ଶିକ୍ଷକ ଏବଂ ରୁଚିରେ କ୍ରୀଡ଼ା ଲେଖକ)

Tags: #DilipTirkey #OdishaHockey #Hockey #Sundargarh #HockeyIndia#IndianHockeyTeam #TheWallofIndianHockey #OdishaHockeyPromotionCouncil #HockeyAssociationofOdisha #ଦିଲ୍ଲୀପତିର୍କୀ #ହକି #ସୁନ୍ଦରଗଡ଼

Comment