ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ କଡ଼ା ପଦକ୍ଷେପ ନେଲେ କଲେଜ କର୍ତ୍ତୃପକ୍ଷ। ରାଗିଂ କରିଥିବା ଛାତ୍ରମାନଙ୍କୁ କଲେଜରୁ ବାହାର କରାଯିବ ବୋଲି ଡିସିପ୍ଲିନ୍ କମିଟି ଓ ଆଂଟି ରାଗିଂ କମିଟି ବୈଠକରେ ନିଷ୍ପତ୍ତି ନେଇଛନ୍ତି କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା। ରାଗିଂର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରୁ ଜଣାପଡୁଛି କିପରି ଜୁନିୟର ଛାତ୍ରଛାତ୍ରୀଙ୍କୁ ସିନିୟର ଛାତ୍ରଛାତ୍ରୀମାନେ ରାଗିଂ କରୁଛନ୍ତି। ଏଥିରେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ କିଛି ଛାତ୍ରଛାତ୍ରୀ ରାଗିଂ କରୁଥିବାର ଦୃଶ୍ୟ ରହିଛି।

ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ କହିଛନ୍ତି, ପ୍ରତ୍ୟେକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଣ୍ଟି ରାଗିଂ ସେଲ୍ ରହିବା ଉଚିତ। ନୂତନ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଯଦି କୌଣସି ପ୍ରକାର ମାନସିକ ବା ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି, ତେବେ ତୁରନ୍ତ ଆଣ୍ଟି ରାଗିଂ ସେଲ୍‌କୁ ଜଣାଇବାକୁ ଅନୁରୋଧ। ଆଣ୍ଟି ରାଗିଂ ସେଲ୍ ଘଟଣାର କାର୍ଯ୍ୟାନୁଷ୍ଠାନ କରି ଉପଯୁକ୍ତ ନିଷ୍ପତ୍ତି ନେବ। ଛୋଟ ଘଟଣା ହୋଇଥିଲେ କଲେଜ ପକ୍ଷରୁ ଦଣ୍ଡ ଦିଆଯିବ, ଯଦି ବଡ଼ ଘଟଣା ହୋଇଥାଏ ତେବେ ପୋଲିସକୁ ଜଣାଇଲେ ତା’ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛି ପୁଲିସ। ଏହି ଦୁଇଜଣ ହେଲେ ଅଭିଷେକ ନାୟକ ଓ ବାବୁଲୁ ପଣ୍ଡା। ଗିରଫ ୨ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ପୋଲିସ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଛି। ଏହା ସହ ରାଗିଂ ଘଟଣାରେ ୩ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖାଯାଇଛି। ଏମାନଙ୍କୁ ୧ ବର୍ଷ ଯାଏଁ ନିଲମ୍ବିତ କରିବା ପାଇଁ ସୁପାରିଶ ହୋଇଛି।

ଭାଇରାଲ ଭିଡିଓ ଘୁରି ବୁଲୁଥିବା ବେଳେ ପ୍ରଥମେ ବଡ଼ ବଜାର ପୁଲିସ ନଜରକୁ ଆସିଥିଲା। ତଦନ୍ତ ବେଳେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ। ରାଗିଂର ମୁଖ୍ୟ କୁହାଯାଉଥିବା ଛାତ୍ରକୁ ପୋଲିସ ଚିହ୍ନଟ କରିବା ପରେ ହରଡ଼ାଖଣ୍ଡି ଶାନ୍ତିନଗର ଅଂଚଳରୁ ତାଙ୍କୁ ଉଠାଇ ଆଣିଥିଲା।

#BinayakAcharyaCollege #Ragging #GirlStudent #Rusticated #Odisha #Berhmapur

Comment