ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଆପଣେଇବା

ଆମଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି ଅବସ୍ଥାକୁ ଡାଇବେଟିସ୍‌ ବା ମଧୁମେହ କୁହାଯାଏ। ଡାଏବେଟିସ୍ ହେଉଛି ୪ ପ୍ରକାରର। ଟାଇପ୍ ୧, ଟାଇପ୍ ୨, ସେକେଣ୍ଡାରୀ ଏବଂ ଜେଷ୍ଟେସନାଲ। ମୁଖ୍ୟତଃ ସାନ ସାନ ପିଲାଙ୍କଠାରେ ଟାଇପ୍‌ ୧ ଡାଇବେଟିସ୍‌ ଦେଖାଯାଏ। ଟାଇପ୍‌ ୨ ଡାଏବେଟିସ୍ ମଧ୍ୟ ବୟସ୍କ ବା ପ୍ରାପ୍ତ ବୟସଙ୍କଠାରେ ଦେଖାଯାଏ। କୌଣସି ମେଡିସିନ ବା ରୋଗ ପରେ ଦେଖାଦେଉଥିବା ଡାଇବେଟିସକୁ ସେକେଣ୍ଡାରୀ ଡାଇବେଟିସ କୁହାଯାଏ। ସେହିପରି ଗର୍ଭାବସ୍ଥାରେ ହେଉଥିବା ଡାଏବେଟିସ୍‌କୁ ଜେଷ୍ଟେସନାଲ ଡାଏବେଟିସ୍‌ କୁହାଯାଏ।

ଡାଏବେଟିସରୁ ମୁଖ୍ୟତଃ ଉଚ୍ଚ ରକ୍ତଚାପ, ହୃଦଘାତ, କିଡନିରୋଗ, ନ୍ୟୁରୋ, ଆଖି ଏବଂ ରକ୍ତନଳୀଜନିତ ବିଭିନ୍ନ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ। ଗୋଟିଏ ରୋଗରୁ ଏମିତି ଅନେକ ରୋଗର ଜନ୍ମ। ୧୦୦ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ୧୨ ଜଣଙ୍କ ଆଖି ସମସ୍ୟା ଦେଖାଦେଇଥାଏ।

“ଡାଏବେଟିସ୍ ଥିଲେ ଏହା ଆମର ଆଖିକୁ ପ୍ରଭାବିତ କରିପାରେ। ଅନେକ ସମୟରେ ଏହା ଜଟିଳ ଚକ୍ଷୁ ସମସ୍ୟାର କାରଣ ମଧ୍ୟ ହୋଇପାରେ। ଡାଏବେଟିସ୍ ରୋଗୀଙ୍କଠାରେ ଦେଖାଯାଉଥିବା ଚକ୍ଷୁ ସମସ୍ୟାକୁ ଡାଏବେଟିକ ରେଟିନୋପାଥି ବୋଲି କୁହାଯାଏ। ଏହା ଧିରେ ଧିରେ ଆଖିକୁ ପ୍ରଭାବିତ କରେ। କିନ୍ତୁ ରୋଗୀ ଆରମ୍ଭରୁ ହୁଏତ ଜାଣିପାରେ ନାହିଁ।  କିନ୍ତୁ, ଠିକଣା ସମୟରେ ଚିକିତ୍ସା କରାନଗଲେ ଜଣେ ରୋଗୀ ହୁଏତ ଦୃଷ୍ଟିହୀନତାର ଶିକାର ହୋଇପାରନ୍ତି। ତେଣୁ ଯେଉଁଦିନ ଆପଣଙ୍କର ଡାଏବେଟିସ୍‌ ଜଣାପଡ଼ୁଛି ସେହିଦିନ ନିୟମିତ ବ୍ୟବଧାନରେ ଆଖି ପରୀକ୍ଷା କରନ୍ତୁ”, କହିଛନ୍ତି ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ବେହେରା।

Tags: #EyeProblem #Diabetes #LVPrasafEyeInstitutes #HealthProblem #ଡାଏବେଟିସ୍‌ #ଜଟିଳଚକ୍ଷୁସମସ୍ୟା

Comment