ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ସୋମବାର ଭାରତର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶନିବାର ଦିନ ଆଇନ ମନ୍ତ୍ରାଳୟ ନୂତନ ନିର୍ବାଚନ ଆୟୁକ୍ତ ଭାବେ ଗୋଏଲଙ୍କ ନାମରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି।

ଅରୁଣ ଗୋଏଲ ଶୁକ୍ରବାର ଦିନ ଉଦ୍ଦ୍ୟୋଗ ସଚିବ ପଦରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ। ଚଳିତ ବର୍ଷ ମେ ମାସରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଅବସର ନେବା ପରେ ତତ୍କାଳୀନ ନିର୍ବାଚନ କମିଶନର ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ହୋଇଥିଲେ। ଫଳରେ ୬ ମାସ ଧରି ଏହି ପଦବୀ ଖାଲି ପଡିଥିଲା।

୧୯୮୫ ବ୍ୟାଚର  ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପ୍ୟାନେଲରେ ସାମିଲ ହେବେ। ପୂର୍ବରୁ ଏହି ପଦବୀ ଖାଲି ପଡ଼ିଥିବାରୁ ନିର୍ବାଚନ ଆୟୋଗ ଉପରେ ଅଧିକ ଚାପ ରହିଥିଲା।

ଅରୁଣ ଗୋଏଲ ପଞ୍ଜାବର ସବୁଠାରୁ ବରିଷ୍ଠ ଆଇଏଏସ୍  ଅଧିକାରୀ ଥିଲେ। ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଅନେକ ବିଭାଗର ସେ ଦାୟିତ୍ଵରେ ଥିଲେ। ଏହାଛଡା ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିଲେ।

Tags: #ElectionCommissioner #Election #ECI #GovtofIndia

Comment