ଓଡ଼ିଶାଲାଇଭ୍ ବ୍ୟୁରୋ

“ମେକ୍ ଇନ୍ ଓଡ଼ିଶା ୨୦୧୬ର ସଫଳ ରୂପାୟନ ପରେ ଏହାକୁ ଦୁଇ ବର୍ଷରେ ଥରେ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଥିଲା ଏହାର ମୂଳ ଲକ୍ଷ୍ୟ। ଓଡ଼ିଶା ନିଜ ଖଣିଜ ପଦାର୍ଥ ପାଇଁ ଖୁବ ଜଣାଶୁଣା। ତେଣୁ ଏହାକୁ ବିବିଧ ରୂପେ ବିକଶିତ କରିବା ପାଇଁ ଇଲେକଟ୍ରୋନିକ୍ସ, ପ୍ଲାଷ୍ଟିକ୍, କେମିକାଲ୍, ପେଟ୍ରୋକେମିକାଲ, ଟେକ୍ସଟାଇଲ୍, ଖାଦ୍ୟ ପ୍ରସ୍ତୁତି ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଗୁରୁତ୍ଵ ଦେଉଛି”, ୨୦୧୮ରେ ଆୟୋଜିତ ହୋଇଥିବା ମେକ୍ ଅନ୍ ଓଡ଼ିଶା କନକ୍ଲେଭ୍‌ରେ କହିଛନ୍ତି ତତ୍‌କାଳୀନ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା।

ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯାଉଛି। ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ।

ଓଡ଼ିଶାରେ ଯେଉଁ ଦ୍ରୁତ ଶିଳ୍ପାୟନର ଯାତ୍ରା ଆରମ୍ଭ ହୋଇଛି ତାହାକୁ ଆହୁରି ସମୃଦ୍ଧ କରିବାରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ ବିଶେଷ ସହାୟକ ହେବ। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ଏହି ମହାକୁମ୍ଭରେ ମନ୍ଥନ ହେବ। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଦେଶ ବିଦେଶର ନିବେଶକାରୀମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୬ ଏବଂ ୨୦୧୮ରେ ମେକ୍ ଇନ୍ ଓଡ଼ିଶାର ସଫଳତା ପରେ ରାଜ୍ୟ ସରକାର ତୃତୀୟ ସଂସ୍କରଣ ଆୟୋଜନ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଦୁବାଇ ଏବଂ ଭାରତର କେତେକ ପ୍ରମୁଖ ସହରରେ ରୋଡ୍ ସୋ’ କରିବା ସହିତ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଥିଲେ।

ନିକଟରେ ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜନେସ୍ ତାଲିକାରେ ଓଡ଼ିଶାକୁ ‘ଆଚିଭର୍ସ’ ରାଜ୍ୟର ମାନ୍ୟତା ମିଳିବା ସହ ଶିଳ୍ପ ନିବେଶ କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଫଳରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ରେ  ଅନେକ ନିବେଶକାରୀ ଓଡ଼ିଶା ଆସିବେ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

 Tags: #MakeInOdisha #CMO #NaveenPatnaik #SanjeevChopra #Trade #Business

LEAVE A REPLY

Please enter your comment!
Please enter your name here