ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କର ବୁଧବାର ଦିନ ପରଲୋକ ଘଟିଛି। ଆଜି ସକାଳ ୧୦ଟାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଗୋଲକ ବିହାରୀ ନାଏକ ତିନି ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଦାୟିତ୍ଵ ମଧ୍ୟ ରହିଥିଲେ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାରୁ ଦୁଇଥର ଏବଂ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ନିର୍ବାଚିତ ହୋଇଥିଲେ ଗୋଲକ ବିହାରୀ ନାଏକ। ବିଜେପିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଗୋଲକ ବିହାରୀ ନାଏକ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ଜଣେ ସଫଳ ରାଜନେତା ଭାବେ ସେ ପରିଚିତ।

ମୃତ୍ୟୁ ସମୟରେ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କବ ବିୟୋଗ ଖବର ପରେ ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସ୍ଵର୍ଗତଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

ଗୋଲକ ବିହାରୀ ନାଏକ ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଳକ ଶିଆଳିଘାଟି ପଞ୍ଚାଚାୟତର ବୁଢେଇରଣା ଜନ୍ମ ଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ଖୁଣ୍ଟା ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ବିଜେପି)ଟିକେଟରୁ ଲଢ଼ି ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୫ ମସିହାରେ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ସେ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ବିଜେଡି ଟିକେଟରୁ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଗୋଲକ ବିହାରୀ ନଏକ।

ମର ଶରୀରକୁ ତାଙ୍କ ବେତନଟୀ ଫାର୍ମ ହାଉସକୁ ନିଆଯିବା ପରେ ସେଠାରୁ ପୈତୃକ ଗ୍ରାମ ବଡ଼ସାହି ବ୍ଳକ ଶିଆଳିଘାଟି ପଞ୍ଚାଚାୟତର ବୁଢେଇରଣାକୁ ନିଆଯିବ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

Tags: #FormerMinister #GolakBihariNaik #Baripada #Death #HeartAttack

Comment