ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳରେ ଦିନକୁ ଦିନ ପାରଦ ଖସୁଥିବାରୁ ପ୍ରବଳ ଶୀତରେ ଥରୁଛନ୍ତି ଜିଲ୍ଲାବାସୀ। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକେ ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ନିଆଁ ଏବଂ ଶୀତବସ୍ତ୍ରର ସାହାର ନେଉଛନ୍ତି। ସକାଳ ୯ଟା ଯାଏଁ ଘନ କୁହୁଡ଼ି ସମ୍ପୂର୍ଣ୍ଣ ଜିଲ୍ଲାକୁ ଆଚ୍ଛାଦିତ କରି ରଖୁଛି। ଫଳରେ ଯାତାୟତ ପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି।

ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରହୁଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ତାପମାତ୍ରା ୯ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି। ଘନ କୁହୁଡ଼ିରେ ଘୋଡ଼େଇ ହୋଇଛି ସାରା କନ୍ଧମାଳ। ସକାଳେ ଏବଂ ସନ୍ଧ୍ୟା ବେଳଠାରୁ କୁହୁଡ଼ି ଯୋଗୁଁ ମୁହଁକୁ ମୁହଁ ଦେଖାଯାଉନି। ଶୀତ ଯୋଗୁଁ ସକାଳ ୯ଟା ପୂର୍ବରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ସେତିକି ଆବଶ୍ୟକ କାମ ନଥିଲେ କେହି ବାହାରକୁ ଯାଉନାହାନ୍ତି।

ଶୀତର ପ୍ରକୋପକୁ ଦେଖି ସ୍କୁଲ ଏବଂ କଲେଜର ସମୟ ପରିବର୍ତ୍ତନ କରାଯାଇଛି। ସକାଳ ୭ଟା ପରିବର୍ତ୍ତେ ସ୍କୁଲ ଏବଂ କଲେଜ ୮ଟା ୩୦ରୁ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି।

ସଞ୍ଜ ନଇଁବା କ୍ଷଣି ଶୂନସାନ ହୋଇଯାଉଛି ରାସ୍ତାଘାଟ। ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଶୀତ ଦାଉରୁ ରକ୍ଷା ପାଇବା ଲାଗି ନିଆଁ ଜାଳି ବସୁଛନ୍ତି। ଆଗକୁ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ଜିଲ୍ଲାବାସୀ।

ଶୀତ ବଢ଼ିବା ଯୋଗୁଁ ଏବେ ଗରମ ପୋଷାକର ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଗାଁଠୁ ସହର ଯାଏଁ ରାସ୍ତା କଡ଼ରେ ଶୀତବସ୍ତ୍ରର ପସରା ମେଲିଛି। ଜିଲ୍ଲାର ବାଲିଗୁଡ଼ାରେ ଶୀତ ପ୍ରକୋପ ବଢ଼ିବା ସହ ବେଲଘର, ତୁମୁଡ଼ିବନ୍ଧ, ରାଇକିଆ, ମଣ୍ଡାସୁର, ଜି.ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହୁଛି।

Tags: #Winter #Weather #Temperature

Comment