ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ):ପଥିକଙ୍କ ତୃଷ୍ଣା ମେଣ୍ଟାଉଛି ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟି ଉପରେ ରହିଥିବା କୂଅ। ଏହି କୂଅକୁ ବୌଦ୍ଧ ରାଜାଙ୍କ କୂଅ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଏହା କୌଣସି ରାଜବାଟିରେ ନୁହେଁ ବରଂ ରହିଛି ଏକ ପାହାଡ଼ ଘାଟି ଉପରେ। ସମୁଦ୍ର ପତନଠାରୁ ୨ହଜାର ଫୁଟ ଉପରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ରହିଥିବା ଏହି କୂଅଟି କେବଳ ମଣିଷ ନୁହେଁ, ପଶୁ ପକ୍ଷୀଙ୍କର ଆଶ୍ୟକତା ମଧ୍ୟ ମେଣ୍ଟାଉଛି। ବର୍ଷା ହେଉକି ଖରା ସବୁବେଳେ ଏହି କୂଅରେ ଭରି ରହୁଛି ପାଣି।

ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଛି ୧୫୭ ନମ୍ବର ଜାତୀୟ ରାଜପଥ। ଏହି ରାଜପଥ ଦେଇ ବୌଦ୍ଧ ଜିଲ୍ଲାରୁ ଫୁଲବାଣୀ ଯିବାକୁ ହେଲେ ଜିଲ୍ଲାର ସୀମାନ୍ତ ରାଣୀପଥର ଘାଟି ଦେଇ ଯିବାକୁ ହୁଏ। ଏହି ଘାଟି ପାହାଡ଼ ରାସ୍ତା କଡ଼ରେ ରହିଛି ଏମିତି ଏକ କୂଅ ଯାହାକୁ ଖୋଦ ବୌଦ୍ଧ ରାଜା ନିର୍ମାଣ କରାଇଥିଲେ। ଆଉ ଶହ ଶହ ବର୍ଷ ପରେ ବି ଆଜି ମଧ୍ୟ ହାତ ବଢ଼ାଇଲେ ଏଠାରେ ମିଳେ ପାଣି। ତେଣୁ ବାଟୋଇ ହେଉ ଅବା ଜଙ୍ଗଲର ପଶୁପକ୍ଷୀ ଏହି କୂଅର ପାଣିରେ ନିଜର ତୃଷ୍ଣା ମେଣ୍ଟାଇଥାନ୍ତି।

କୂଅ ଟିକୁ ଦେଖିଲେ ରାଜାଙ୍କର ଶହ ଶହ ବର୍ଷ ପୁରାତନ ନିଆରା ଜ୍ଞାନକୌଶଳକୁ ନେଇ ଗର୍ବ ଅନୁଭବ ହୁଏ। ପୂର୍ବରୁ ବୌଦ୍ଧ ଭଞ୍ଜବଂଶୀୟ ରାଜା ପଥିକମାନଙ୍କ ଜଳକଷ୍ଟ ଦୂର କରିବା ପାଇଁ ରାସ୍ତା କଡ଼ରେ କୂଅ ଖନନ କରୁଥିଲେ। ସବୁଠାରୁ ବଡ଼ କଥା ହେଲା ଆଧୁନିକ କୌଶଳ ପ୍ରୟୋଗ କରି ମଧ୍ୟ ଅଧିକାଂଶ ସ୍ଥାନରେ ମାଟିତଳୁ ପାଣି ବାହାରିବା ମୁସକିଲ ହେଉଛି ତ ଆଉ କେଉଁଠି ଖରା ଦିନେ ପାଣି ଅଭାବ ଦେଖାଦେଉଛି। ହେଲେ ଏଠାରେ ସମୁଦ୍ର ପତନଠାରୁ ୨ ହଜାର ଫୁଟ ଉପରେ ପାଣି ଉପଲବ୍ଧ ହେବା ନିଶ୍ଚିତ ସମସ୍ତଙ୍କୁ ଚକିତ କରେ। ଗବେଷକ ଓ ଭୂତତ୍ତ୍ଵ ବିଜ୍ଞାନୀମାନେ ରାଜାଙ୍କର ସେମୟର ଜ୍ଞାନକୌଶଳକୁ ପ୍ରଶଂସା କରୁଛନ୍ତି।

ଏହି ପୁରାତନ କୂଅର ରକ୍ଷଣା ବେକ୍ଷଣ ସହ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ବର୍ତ୍ତମାନ ରାଜରାଜୁଡ଼ା ଶାସନ ଆଉ ନାହିଁ, କିନ୍ତୁ ଏବେ ବି ବଞ୍ଚି ରହିଛି ସେତେବେଳର ସନ୍ତକ। ଆଉ ପାଣି ଛଳଛଳ କୂଅ ମନେ ପକାଇ ଦେଉଛି କେତେ ଓଜନଦାର ଥିଲା ଆମ ପୁରାତନ ପାରମ୍ପରିକ ଜ୍ଞାନକୌଶଳ।

Tags: #Boudh #WonderWell #KingsWell

Comment