ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରର ମାହାତ୍ମା ଗାନ୍ଧୀ ମାର୍ଗ ଏବେ ଶିକ୍ଷକମୟ। ତିନିଦିନ ଧରି ବିଦ୍ୟାଳୟ  ଛାଡ଼ି ଧାରଣାରେ ହଜାର ହଜାର ଶିକ୍ଷକ। ରାଜ୍ୟର କୋଣଅନୁକୋଣରୁ ୩ ଦଫା ଦାବି ହାସଲ ପାଇଁ ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ମହାମେଳି। ପାତର ଅନ୍ତର ନୀତିକୁ ନେଇ ସରକାର ବିରୋଧୀ ନାରାବାଜି, ବିକ୍ଷୋଭ, ପ୍ଲାକାର୍ଡ ପ୍ରଦର୍ଶନ କରାଯାଉଛି । ଏପରିକି ଦାବି ପୂରଣ ନହେଲେ ପଦ୍ମପୁର ଓ ୨୦୨୪ ନିର୍ବାଚନରେ ଶାସକ ଦଳକୁ ଧାମନଗର ଭଳି ପ୍ରଭାବ ଦେବାକୁ ବି ଚେତାବନୀ ଦେଇଛନ୍ତି ଶିକ୍ଷକ।

ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ତିନି ଦଫା ଦାବି ନେଇ ତିନିଦିନ ଧରି ବିଧାନସଭା ସମ୍ମୁଖରେ ଏମିତି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ।

ବିଧାନସଭା ସାମ୍ନାରେ ଶିକ୍ଷକଙ୍କ ରଣହୁଙ୍କାର ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ଦୁଇଦିନ ଧରି ହଟ୍ଟଗୋଳ ଲାଗିରହିଛି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଶିକ୍ଷକଙ୍କ ଆନ୍ଦୋଳନ କଥା ଉଠାଇ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ନାରାବାଜି କରିଥିଲେ। ଠିକା ଯୁଗ ଶେଷ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି କାହିଁକି ଏମିତି ସ୍ଥିତି ? କାହିଁକି ଶିକ୍ଷକଙ୍କ ନାର୍ଯ୍ୟ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ହଟ୍ଟଗୋଳ ଯୋଗୁଁ ଗୃହ ସାଢେ ୧୧ଟା ଯାଏଁ ମୁଲତବୀ କରାଯାଇଥିଲା। ସର୍ବଦଳୀୟ ବୈଠକ ପରେ ଗୃହ ସ୍ଵାଭାବିକ ହୋଇଥିଲା।

ଆନ୍ଦୋଳନ ତୀବ୍ରତର ହେଉଥିବା ଦେଖି ଗଣଶିକ୍ଷା ବିଭାଗ ସଚିବ ଏସ୍ ଅଶ୍ୱସ୍ଥି ଶିକ୍ଷକ ପ୍ରତିନିନିଧିଙ୍କ ସହ ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଫଳରେ ଆନ୍ଦୋଳନକୁ ଜାରି ରଖିଛି ସଂଘ। ଦାବି ପୂରଣ ନହେଲେ  ଆନ୍ଦୋଳନରୁ ଓହରିବୁ ନାହିଁ ଓ ପ୍ରାଥମିକ ଶିକ୍ଷାରେ ଉପୁଜିବା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମହାସଂଘ ଚେତାଇ ଦେଇଛି।

Tags: #PrimaryTeacherStrike #Day3 #Odisha #Bhubaneswar #ThreeDemands #TeachersProtest #PMGSquare

Comment