ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଅଧିବେଶନ ଆସିଲେ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୁଏ ଆନ୍ଦୋଳନର ସମାବେଶ। ନିଜ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଆନ୍ଦୋଳନକାରୀ। ଏହି କ୍ରମରେ ସଂପ୍ରତ୍ତି ତିନିଦିନ ହେବ ଭୁବନେଶ୍ଵର ପିଏମଜି ଛକରେ ଚାଲିଛି ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଙ୍ଘର ଆନ୍ଦୋଳନ। ରାଜ୍ୟର ସବୁ ବ୍ଲକର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନାରାବାଜି, ବିକ୍ଷୋଭ, ପ୍ଲାକାର୍ଡ ପ୍ରଦର୍ଶନ କରି ତିନି ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି।

ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ୬ଟି ଇନ୍‌କ୍ରିମେଣ୍ଟ ଦେବା, କେନ୍ଦ୍ରୀୟ ନୀତି ଅନୁସାରେ ଦରମା ତଥା ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଭଳି ଦାବି ନେଇ ତିନିଦିନ ଧରି ବିଧାନସଭା ସମ୍ମୁଖରେ ଏମିତି ଶୀତ କାକରରେ ବସି ରହିଛନ୍ତି ଶିକ୍ଷକଗଣ।

“୨୦୦୫ ପରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଅବସର ନେବା ପରେ ନୂଆ ପେନସନ ଯୋଜନାରେ ମାତ୍ର ହଜାର ଦୁଇ ହଜାର ଟଙ୍କା ପେନସନ ପାଉଛନ୍ତି ଯାହା ଯଥେଷ୍ଟ ନୁହେଁ”, କହିଛନ୍ତି କନ୍ଧମାଳରୁ ଆସିଥିବା ଜଣେ ଶିକ୍ଷକ।

ଆନ୍ଦୋଳନରେ ବସିଥିବା କେତେଜଣ ଶିକ୍ଷୟିତ୍ରୀ ଏଠାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ରହିବା, ଖାଇବା ଆଦିର ବ୍ୟବସ୍ଥା ନଥିବା ସେମାନେ ଅଭିଯୋଗ କରିଛନ୍ତି।

“ଯଦି ମୁଖ୍ୟମନ୍ତ୍ରୀ ଆମକୁ ନିଜ ପିଲା ବୋଲି ମାନେ କରନ୍ତି ତେବେ ଆମ ସଙ୍ଗେ କାହିଁକି ପାତରଅନ୍ତର କରୁଛନ୍ତି। ଆମ କଥା କାହିଁକି ବୁଝୁ ନାହାନ୍ତି।  ଆମେ ତାଙ୍କୁ ଅନୁରୋଧ କରୁଛୁ ସେ ଆମ କଥା ଶୁଣନ୍ତୁ।” କହିଛନ୍ତି ବାଲେଶ୍ଵରରୁ ଆସିଥିବା ଜଣେ ଶିକ୍ଷୟିତ୍ରୀ।

“ରାଜ୍ୟ ସରକାର ୨୦୧୭ ମସିହାରେ ମଧ୍ୟ ଆମ ଦାବି ଶୁଣି ନଥିଲେ। ଏବେ ଶିକ୍ଷକମାନଙ୍କ ଦାବିପୂରଣ ନ ହେବା ଯାଏଁ ଆନ୍ଦୋଳନ ବନ୍ଦ ହେବ ନାହିଁ। ଦାବିପୂରଣ ନହେଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ”, କହିଛନ୍ତି ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଙ୍ଘର ସଭାପତି ମଣ୍ଡଳ ସଦସ୍ୟ ରାଜେଶ ମହାନ୍ତି।

ଏହାପୂର୍ବରୁ ପ୍ରାଥମିକ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ୨୦୧୭ ମସିହାରେ ଆନ୍ଦୋଳନ କରିଥିଲେ। ସେତେବେଳେ ରାଜ୍ୟ ସରକାର ସେମାନଙ୍କୁ କିଛିଟା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ପୂରଣ କରିନଥିଲେ ବୋଲି ଅଭିଯୋଗ କରିଛି ପ୍ରାଥମିକ ଶିକ୍ଷକ ମହାସଙ୍ଘ।

ଆଜି ପ୍ରାଥମିକ ଶିକ୍ଷକ ମହାସଙ୍ଘ ନିଜର ଦାବି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବ। ଏନେଇ ସରକାରଙ୍କ ତରଫରୁ ସହମତି ମିଳିଛି।

 

Tags: #PrimaryTeacherStrike #Day3 #Odisha #Bhubaneswar #ThreeDemands #TeachersProtest #PMGSquare

 

 

Comment