ଓଡ଼ିଶାଲାଇଭ୍ ବ୍ୟୁରୋ

 

ଆଜିଠୁ ଆରମ୍ଭ ହେଉଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ। ଏହି ଶିଳ୍ପ ମହାକୁମ୍ଭର ତୃତୀୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଅଂଶ ଗ୍ରହଣ କରିବା ଲାଗି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ କରିସାରିଛନ୍ତି। ଏହି କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେବାକୁ ଥିବାବେଳେ ଏଥିପାଇଁ ୩୮ଟି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି।

ଏହି କନକ୍ଲେଭରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ ଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜନ ଜିନ୍ଦଲ, ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନଙ୍କ ସମେତ ଜାପାନ, ନରୱେ ଏବଂ ଜର୍ମାନୀର ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଦେଶ ବିଦେଶରୁ ପୁଞ୍ଜି ନିବେଶ ଏବଂ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାରଙ୍କ ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ ଇନ ଓଡ଼ିଶା କନକ୍ଲେଭ। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହେଉଛି। ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭର ତୃତୀୟ ସଂସ୍କରଣରେ ଯୋଗ ଦେବା ଲାଗି ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୬ର ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା। କୋଭିଡ୍‍ ମହାମାରୀ କାରଣରୁ ୨୦୨୦ରେ ବନ୍ଦ ରହିଥିବା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ଏବେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।

Tags: #MakeinOdishaConclave #InvestOdisha #OdishaStartup #OdishaInvestorsMeet #MIO2022

Comment