ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟନୀ ଉତ୍ସବରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ଭୁବନେଶ୍ଵର ମେୟର ସୁଲୋଚନା ଦାସ ଏବଂ କଟକ ମେୟର ସୁବାସ ଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭାରତରେ ଜାପାନର ରାଜଦୂତ ହୀରୋସି ସୁଜୁକି, ନରଓ୍ଵେ ହାନସ ଜେକବ ଫ୍ରାଇଡେନଲନ ଏବଂ ନେପାଳର ରାଜଦୂତ ଡକ୍ଟର ଶଙ୍କର ପ୍ରସାଦ ଶର୍ମା ଓ ଭାରତରେ ଜାର୍ମାନୀର କାଉନସିଲ ଜେନେରାଲ ମ୍ୟାନଫ୍ରେଡ ଅଷ୍ଟର ପ୍ରମୁଖ ଯୋଗ ଦେଇଥିଲେ।

ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶାର ମେଗା ଇଭେଣ୍ଟ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ–୨୦୨୨ରେ ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଏବଂ ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେବେ। ଓଡ଼ିଶାରେ ଶିଳ୍ପାୟନର ପ୍ରଗତିକୁ ନେଇ ପାଞ୍ଚ ଦିନ ଧରି ମାନସମନ୍ଥନ କରାଯିବ। ଆଗାମୀ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ଭିତରେ ଏହି କନକ୍ଲେଭ ଉତ୍ସାହ ଭରିବ ବୋଲି ସରକାର ଆଶାବାଦୀ ଅଛନ୍ତି।

ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆୟୋଜନ କରାଯାଉଛି। ଚଳିତ ବର୍ଷ ଦେଶ ବିଦେଶର ନାମୀଦାମୀ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨୦୧୬ ଏବଂ ୨୦୧୮ ମେକ୍‌ ଇନ୍‌ ଓଡ଼ିଶାର ସଫଳ ରୂପାୟନ ପରେ ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Tags: #MakeinOdishaConclave #CMOdisha #NaveenPatnaik #Inauguration #InvestOdisha #OdishaStartup #OdishaInvestorsMeet #MIO2022

Comment