ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ଜୋରଦାର କରିବା ଲକ୍ଷ୍ୟରେ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ର ଦ୍ଵିତୀୟ ଦିନରେ ୫ଟି ବୁଝାମଣାପତ୍ର ଏବଂ ୭ଟି ଆଗ୍ରହପ୍ରତ ସ୍ଵାକ୍ଷରିତ ହୋଇଛି। ଏ ନେଇ ଗୁରୁବାର ଦିନ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି।

ଗତବର୍ଷ ଓଡ଼ିଶା ଷ୍ଟାର୍ଟଅପ୍ ରାଙ୍କିଙ୍ଗରେ ଦେଶରେ ଶୀର୍ଷ ପ୍ରଦର୍ଶନକାରୀ ଭାବେ ସ୍ଵୀକୃତି ପାଇଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଅତ୍ୟାଧୁନିକ ଇନକ୍ୟୁବେଟରମାନଙ୍କୁ ପ୍ରୋତ୍ସହିତ କରାଯାଇଛି ଏବଂ ଷ୍ଟାର୍ଟଅପ୍ ଯାତ୍ରା ପରି ବ୍ୟାପକ କାର୍ଯ୍ୟକ୍ରମ ରାଜ୍ୟ ସରକର ହାତକୁ ନେଇଛନ୍ତି ବୋଲି ଶକ୍ତି, ଶିଳ୍ପ, ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।

ଶିଳ୍ପ ମହାକୁମ୍ଭର ଦ୍ଵିତୀୟ ଦିନରେ ଶିଳ୍ପ ମନ୍ତ୍ରୀ ଅନ୍ୟ ଅତିଥିମାନଙ୍କ ଗହଣରେ ଷ୍ଟାର୍ଟଅପ ସମ୍ପର୍କୀତ ଗୋଟିଏ ଫଳାଫଳ ବିବରଣୀ ଏବଂ କଫିଟେବୁଲ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ଷ୍ଟାର୍ଟଅପ୍ ଯାତ୍ରା ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଠାରେ ଅନୁଷ୍ଠିତ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥଶ ପ୍ରମୁଖ ଶିଳ୍ପସଂସ୍ଥାର କାର୍ଯ୍ୟକର୍ତ୍ତମାନଙ୍କ ସମାବେଶରେ ‘ଷ୍ଟାର୍ଟଅପ ଦୃଷ୍ଟାନ୍ତରରେ ପରିବର୍ତ୍ତନ ଓ ଭବିଷ୍ୟତ ମାର୍ଗ’ ଶୀର୍ଷକ ପ୍ରସଙ୍ଗକୁ ନେଇ ଏକ ବକ୍ତୃତା ଅନୁଷ୍ଠିତ ହେଇଥିଲା। ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ଯୋଗ ଦେଇ କହିଛନ୍ତି ଯେ, ଷ୍ଟାର୍ଟଅପଗୁଡ଼ିକ ଦ୍ଵାରା ନିଯୁକ୍ତି ସୁଯୋଗରେ ବ୍ୟାପକ ସମ୍ଭାବନା ରହିଛି ଏବଂ ସମାଜରେ ଦୈନନ୍ଦିନ ସମସ୍ୟାର ସମାଧାନ ସମ୍ଭବ ହୋଇପାରୁଛି। ସୂଚନା ପ୍ରଯୁକ୍ତି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରଗୁଡ଼ିକରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍ ସୃଷ୍ଟି କରିବା ସରକାରଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି।

“୨୦୧୬ ମସିହା ପରଠାରୁ ବର୍ତ୍ତମାନ ସୁଦ୍ଧା ୨୫ଟି କ୍ରିୟାଶୀଳ ଇନକ୍ୟୁବେଟର ଦ୍ଵାରା ୧,୪୩୪ଟି ଷ୍ଟାର୍ଟଅପ୍ ରାଜ୍ୟରେ କାର୍ଯ୍ୟ କରୁଛି। ଏଥିରୁ ୫୯୦ଟି ଷ୍ଟାର୍ଟଅପ କେବଳ ମହିଳାମାନଙ୍କ ନେତୃତ୍ଵରେ ପରିଚାଳିତ ହେଉଛି। ରାଜ୍ୟ ସରକାର ଷ୍ଟାର୍ଟଅପ୍ ବିକାଶ ଲାଗି ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ବୃହତ୍ ପାଣ୍ଠି ପ୍ରତିଷ୍ଠା କରିବେ। ଏଥିପାଇଁ ୧,୨୦୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯିବ”, କହିଛନ୍ତି ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ।

ଏହି ଅବସରରେ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ପଦ୍ମପୂଷଣ ଅଜୟ ଚୌଧୁରୀ, ‘ଫିକି’ ଷ୍ଟାର୍ଟଅପ୍ କମିଟିର ଅଧ୍ୟକ୍ଷ, ଇଣ୍ଟେଲ ଇଣ୍ଡିଆର କଣ୍ଟ୍ରିହେଡ ନିବୃତ୍ତି ରାୟ ଯୋଗ ଦେଇ ଓଡ଼ିଶାରେ ଷ୍ଟାର୍ଟଅପ୍ ସମୃଦ୍ଧିର ସମୀକ୍ଷା କରି ମନ୍ତବ୍ୟ ରଖିଥିଲେ।

ବିଶିଷ୍ଟ ସାମ୍ବାଦିକ ମାଧବନ ନାରାୟଣ, ଆଇଏଏନର ଅନ୍ୟତମ ପ୍ରତିଷ୍ଠାତା ପଦ୍ମଜା ରୂପାରେଲ, ଇଣ୍ଡିଆ କ୍ୟାପିଟାଲର ପ୍ରତିଷ୍ଠାତା ରାଜ ମିଶ୍ର, ଲେଟଅସ୍ ଭେଞ୍ଚରର ସହ ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଶାନ୍ତି ମୋହନ, କୋଣ୍ଟାକର ମ୍ୟାନେଜିଂ ପାର୍ଟନର ପ୍ରେମ ପାର୍ଥସାରଥୀ, ସି ଫଣ୍ଡର ମ୍ୟାନେଜିଂ ପାର୍ଟନର ମନୋଜ କୁମାର ଅଗ୍ରୱାଲ, ୟୁନିକର୍ଣ୍ଣ ଇଣ୍ଡିଆର ପ୍ରତିଷ୍ଠାତା ଅନୀଲ ଯୋଶୀଙ୍କ ସମେତ ବିଶାଲ ଚୌଧୁରୀ, ଅମରେନ୍ଦ୍ର ସାହୁ, ରାହୁଲ ଦାସ, ପାର୍ଥ ଦାସଙ୍କ ପରି ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ‘ଔଦ୍ୟୋଗିକତା: ନୂଆ ଓଡ଼ିଶାର ସାରାଂଶ’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଶେଷରେ ଭୁବନେଶ୍ଵର ସ୍ଥିତ ‘ଟାଏ’ର ସଭାପତି ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #MakeinOdishaConclave #CMOdisha #NaveenPatnaik #InvestOdisha #OdishaStartup #MIO2022 #MoUsSigned #PratapKeshariDev

Comment