ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷିଆନ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗ ଘଟିଛି। ଓଡ଼ିଆ ସିନେମା ଜଗତରେ ସେ ହେଉନ୍ତି ଜଣେ ପରିଚିତ ଚେହେରା। ୮୨ ବର୍ଷ ବୟସରେ କଟକଚଣ୍ଡି ରୋଡ ସ୍ଥିତ ବାସଭବନରେ ଗୁରୁବାର ବିଳମ୍ବିତ ରାତ୍ରୀରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ସାଠିଏ ଦଶକରେ ଝରଣା ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଛି। ପିଲାଟି ବେଳରୁ ଅଭିନୟ ପ୍ରତି ତାଙ୍କର ଅହେତୁକ ନିଶା ପରବର୍ତ୍ତୀ ସମୟରେ ତାଙ୍କୁ ଦେଇଥିଲା ଜଣେ ଦକ୍ଷ କଳାକାରର ପରିଚୟ। କଟକ ଆକାଶବାଣୀରୁ ଶିଶୁ କଳାକାର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଝରଣା ଦାସ ୧୯୬୪ ମସିହାରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ୧୯୬୫ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ମଲାଜହ୍ନରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜୟ କରିଥିଲା।

ମଲାଜହ୍ନ, ଅମଡ଼ାବାଟ, ଅଦିନମେଘ, ସମୟ ବଡ଼ ବଳବାନ, ଶ୍ରୀଜଗନ୍ନାଥ, ନାରୀ, ହୀରାଳୀଳା ଭଳି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କ ମୃତ୍ୟୁ ଖବର କେବଳ ସିନେ ଜଗତକୁ ନୁହେଁ ବରଂ ସିନେପ୍ରେମୀଙ୍କୁ ଦୁଃଖିତ କରିଛି।

Tags: #OdiaCinema #JharanaDas #OdiaActress #PassesAway

Comment