ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ ପରେ ଏବେ ଚିନ୍ତାର କାରଣ ପାଲଟିଛି ଜିକା ଭାଇରସ। କର୍ଣ୍ଣାଟକର ରାୟଚୁର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଜିକା ଭାଇରସ ପଜିଟିଭ ଥିବା ସ୍ଵାସ୍ଥ୍ୟମନ୍ତ୍ରୀ ସୁଧାକର ସ୍ପଷ୍ଟ କରିଛନ୍ତି। କର୍ଣ୍ଣାଟକରେ ଜିକା ଭାଇରସର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ତତ୍ପର ହୋଇଥିବା କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ।

ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, “ପୁଣେସ୍ଥିତ ଏକ ଲ୍ୟାବକୁ ଆମେ ୩ଟି ନମୁନା ପଠାଇଥିଲୁ। ସେଥିମଧ୍ୟରୁ ୨ଟି ନେଗେଟିଭ ଏବଂ ଗୋଟିଏ ନମୁନା ଜିକା ଭାଇରସ ପଜିଟିଭ ଥିବା ରିପୋର୍ଟ ଆସିଛି। କିଛି ମାସ ପୂର୍ବରୁ କେରଳ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କର୍ଣ୍ଣାଟକରେ ଏହା ପ୍ରଥମ ଘଟଣା। କର୍ଣ୍ଣାଟକରେ ଜିକା ଭାଇରସର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ସମସ୍ତ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଆକ୍ରାନ୍ତ ଶିଶୁର ସ୍ଵାସ୍ଥ୍ୟ ଅବସ୍ଥା ପ୍ରତି ଲଗାତାର ନଜର ରଖାଯାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ସାଧାରଣତଃ ଡେଙ୍ଗୁ ଏବଂ ଚିକେନଗୁନିଆ ଟେଷ୍ଟ ପାଇଁ ପୁଣେକୁ ପ୍ରତି ମାସରେ ନମୁନା ପଠାଯାଏ। ନିକଟରେ ପଠାଯାଇଥିବା ନମୁନା ମଧ୍ୟରୁ ଗୋଟିଏର ରିପୋର୍ଟ ଜିକା ପଜିଟିଭ ରହିଛି।”

ଜିକାର ଭାଇରସର ଲକ୍ଷଣ:

ଜିକା ଭାଇରସ୍‌ର ଲକ୍ଷଣ ଗୁଡ଼ିକ ହେଲା, ଜ୍ୱର ହେବା, ଚର୍ମ ଲାଲ୍ ପଡ଼ିଯିବା, ଆଣ୍ଠୁଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବ୍ୟଥା ଓ ଦୁର୍ବଳ ଲାଗିବା ଇତ୍ୟାଦି। ଗର୍ଭାବସ୍ଥା ସମୟରେ ଏହି ଭୂତାଣୁ ସଂକ୍ରମଣ ବିଶେଷ କ୍ଷତି ଘଟାଇଥାଏ। ଏହି ସଂକ୍ରମଣ ବିକାଶଶୀଳ ଭୃଣ ଓ ନବଜାତ ଶିଶୁ ପ୍ରତି ବିପଦ ସୃଷ୍ଟି କରିଥାଏ। ଏହା ଯୋଗୁଁ ଗର୍ଭାବସ୍ଥାରେ ଜଟିଳତା ଦେଖାଦେବା ସହ ଭୃଣ ନଷ୍ଟ, ମୃତ ଶିଶୁ ଜନ୍ମ ଓ ସମୟ ପୂର୍ବରୁ ପ୍ରସବ ଆଦି ସମସ୍ୟା ଦେଖାଦିଏ।

୧୯୪୭ ମସିହାରେ ୟୁଗାଣ୍ଡାର ମାଙ୍କଡ଼ଙ୍କ ନିକଟରେ ଜିକା ଭାଇରସ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା। ଏହାପରେ ୧୯୫୨ ମସିହାରେ ୟୁଗାଣ୍ଡା ଓ ସଂଯୁକ୍ତ ଗଣରାଜ୍ୟ ତାଞ୍ଜାନିଆଠାରେ ମନୁଷ୍ୟ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ଆଫ୍ରିକା ଓ ଏସିଆର କିଛି ଅଞ୍ଚଳରେ ମଣିଷଙ୍କଠାରେ ଏକ ସାଧାରଣ ରୋଗ ଭାବେ ଜିକା ଭାଇରସ ମାମଲା ନଜର ଆସିଥିଲା। ଏହି ଭୂତାଣୁର ପ୍ରଥମ ପ୍ରକୋପ ୨୦୦୭ରେ ମାଇକ୍ରୋନେସିଆର ସଂଘୀୟ ରାଜ୍ୟରେ ଦେଖାଦେଇଥିଲା।

Tags: #ZikaVirus #Karnataka #FirstCase #5YearOldGirlChild #Symptoms #India

Comment