ଓଡ଼ିଶାଲାଇଭ୍ ବ୍ୟୁରୋ

ବସ୍-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତୁମୁଳିଆଠାରେ। ସମସ୍ତ ମୃତକ ବାଇକ୍ ଆରୋହୀ ହୋଇଥିବାବେଳେ ସେମାନେ ଗୋପାଳପୁର ଗାଁର ବୋଲି ଜଣାପଡ଼ିଛି।

ବୁଧବାର ଦିନ ବେଲପାହାଡ଼ ପଟୁ ତୁମୁଳିଆ ଅଭିମୁଖେ ଏକ ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଯାଉଥିବାବେଳେ ସମ୍ମୁଖରୁ ଗୋଟିଏ ବାଇକ ବସକୁ ଧକ୍କା ଦେଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ଅନ୍ୟଜଣକୁ ପ୍ରଥମେ ଗୋପାଳପୁର ଡାକ୍ତରଖାନା ଏବଂ ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

ମୃତକମାନେ ମଦ୍ୟପାନ କରି ଗୋଟିଏ ବାଇକରେ ଯାଉଥିଲେ। ସେମାନଙ୍କ ମଧ୍ୟରୁ କେହି ହେଲମେଟ ପିନ୍ଧିନଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Accident #RoadAccident #Death #Sundargarh #Tumulia

Comment