ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପୋଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଣ୍ଟାବାଞ୍ଜି ଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ଵରେ ୩ ଜଣ ଅଫିସର୍ ଯାଇଛନ୍ତି।
ଏଥିରେ ଇନ୍ସପେକ୍ଟର୍ ଲକ୍ଷ୍ମୀଧର ହାଁସଦା, ଏସ୍ଆଇ ଆଶିଷଦେବ ସାହୁ, କିଶୋର କୁମାର ନାୟକ ପ୍ରମୁଖ ସାମିଲ ଅଛନ୍ତି। ଏହାବାଦ୍ ଆହୁରି ଏକ ୧୦ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି। ଏଥିରେ ଫରେନସିକ୍ ସାଇନ୍ସ ଲାବୋରେଟୋରି, ସାଇବର୍ ବିଶେଷଜ୍ଞ, ରାଜ୍ୟ ପୋଲିସ ଫଟୋ ବ୍ୟୁରୋର ଅଧିକାରୀ ସାମିଲ ହୋଇଛନ୍ତି।
ମଙ୍ଗଳବାର ବହୁଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବଲାଙ୍ଗିର କଣ୍ଟାବାଞ୍ଜି ଜେଲ୍ରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହା ଆତ୍ମହତ୍ୟା ନା ଆଉ କିଛି ଷଡ଼ଯନ୍ତ୍ର, ସେନେଇ ପ୍ରଶ୍ନ ଉଠିଥିଲା। ଏହାରି ମଧ୍ୟରେ ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।
ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସମ୍ବଲପୁର ପ୍ରିଜନ୍ ଡିଆଇଜି ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ। ନିଶ୍ଚିତ ଭାବେ ଅବହେଳା ରହିଛି, ନହେଲେ ମୂଲ୍ୟବାନ ଜୀବନ ଯାଇନଥାନ୍ତା। ରିପୋର୍ଟ ମିଳିଲା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି କହିଛନ୍ତି।
Tags: #GovindaSahooDeath #CrimeBranch #Investigation #MamitaMeherDeath #Kantabanjhi #Odisha