ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ା): ରାୟଗଡ଼ାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ ପର୍ଯ୍ୟଟକ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ ଭୁବନେଶ୍ଵର ଫେରି ଆସିଛନ୍ତି। ଡିସେମ୍ବର ୨୨ ତାରିଖରେ ଭ୍ଲାଦିମର ବିଦାନୋଭଙ୍କର ମୃତ୍ୟୁ ହୋଇଥିବାବେଳେ ଆଣ୍ଟୋଭ ପାଭେଲିଙ୍କର ୨୪ ତାରିଖରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା।

ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆଙ୍କୁ ରାୟଗଡ଼ା ସୀମା ପାର କରାଇଥିଲା। ମଙ୍ଗଳବାର ଦିନ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଡିସେମ୍ବର ୨୨ ତାରିଖରେ ଭ୍ଲାଦିମର ବିଦାନୋଭ ଓ ୨୪ ତାରିଖରେ ଆଣ୍ଟୋଭ ପାଭେଲିଙ୍କର ମୃତ୍ୟୁ ହୋଇଥିଲା। ରାୟଗଡ଼ା ଟାଉନରେ ଥିବା ହୋଟେଲ ସାଇ ଇଣ୍ଟରନ୍ୟାସନାଲଠାରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ବଢ଼ିବାରେ ଲାଗିଛି। ମୃତ ଆଣ୍ଟୋଭ ପାଭେଲି ଋଷିର ଜଣେ ସାଂସଦ ଥିଲେ। ସେ ରାଷ୍ଟପ୍ରତି ଭ୍ଲାଦିମିର ପୁଟିନଙ୍କର ସମାଲୋଚକ ଥିଲେ ବୋଲି ଜଣାପଡ଼ିଛି।

ଜନ୍ମଦିନ ପାଳନ କରିବାକୁ ଆଣ୍ଟୋଭ ନିଜ ସାଙ୍ଗମାନଙ୍କ ସହ ଓଡ଼ିଶାର ରାୟଗଡ଼ା ଆସିଥିଲେ। ୨୨ ତାରିଖରେ ହୋଟେଲର ପ୍ରଥମ ମହଲାରୁ ବେହୋସ ଅବସ୍ଥାରେ ଭ୍ଲାଦିମିର ବିଦାନୋଭଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ନିକଟରୁ ଗୋଟିଏ ଖାଲି ୱାଇନ ବୋତଲ ମିଳିଥିଲା। ଭ୍ଲାଦିମିରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିବଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାର ଦୁଇ ଦିନ ପରେ ଅର୍ଥାତ୍ ଶନିବାର ଦିନ ଆଣ୍ଟୋଭ ପାଭେଲିଙ୍କୁ ମୃତ ଅବସ୍ଥାରେ ହୋଟେଲରୁ ଉଦ୍ଧାର କରାଯାଇଥିଲା।

ସନ୍ଦେହ ଘେରରେ ରହିଥିବା ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର କ୍ରାଇବ୍ରାଞ୍ଚ ତଦନ୍ତ କରିବ ବୋଲି କହିଛନ୍ତି ଡିଜିପି ସୁନିଲ କୁମାର ବଂଶଲ।

ମୃତ ଦୁଇ ଋଷ ପର୍ଯ୍ୟଟକଙ୍କ ସହ ଆସିଥିବା ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ବୋଲି ଜଣାପଡ଼ିଛି।

ବ୍ୟବଚ୍ଛେଦ ନହେବାରୁ ଆଣ୍ଟୋଭ ପାଭେଲିଙ୍କ ଶବ ଜିଲ୍ଲା ଚିକିତ୍ସାଳୟ ଶବଗୃହରେ ରଖାଯାଇଛି। ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଣୟକୁ ଏନେଇ ସୂଚନା ଦିଆଯାଇଛି।

Tags: #Rayagada #RussiaTourist #DeathSuspense #PoliceInvestigation

Comment