ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଗୁରୁବାର ତୃତୀୟ ଦିନରେ ପହଁଞ୍ଚିଛି। ଧନୁଯାତ୍ରାର ତୃତୀୟ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଗମନର ଦୃଶ୍ୟ ଦେଖିବାକୁ ମିଳିଛି। ନନ୍ଦ ରାଜା ଗୋପପୁରରେ ଆୟୋଜନ କରିଛନ୍ତି ନନ୍ଦୋତ୍ସବ। ସେହିପରି ମଥୁରାନଗରୀରେ ମହାରାଜା କଂସଙ୍କର ବିଭିନ୍ନ କାର୍ଯ୍ୟକ୍ରମର ଦୃଶ୍ୟ ଦେଖିବାକୁ ମିଳିଛି। ମହାରାଜା କଂସଙ୍କ ରାଜଦରବାରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ନୃତ୍ୟ ଦଳଗୁଡିକ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇପାରିଛି।

ତୃତୀୟ ଦିବସରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଉତ୍ସବ ମୁଖରିତ ହୋଇପଡ଼ିଥିଲା ସମଗ୍ର ଗୋପପୁର। ସମସ୍ତ ଗୋପପୁରବାସୀ ସମେତ ନନ୍ଦାରାଜ ଓ ରାଣୀ କୃଷ୍ଣଙ୍କ ଆବିର୍ଭାବକୁ ନେଇ ଖୁସିରେ ଆନନ୍ଦ ବିଭୋର ହୋଇ ପଡିଥିଲେ। ବୃଦ୍ଧ କାଳରେ ରାଣୀଙ୍କ କୋଳରେ ପୁତ୍ର ସନ୍ତାନ ଜନ୍ମକୁ ନେଇ ନନ୍ଦରାଜାଙ୍କ ଆଦେଶରେ ଉତ୍ସବ ଆୟୋଜିତ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯିବା ସହ ଦୋଳି ଝୁଲା ଏବଂ ରାସ ନୃତ୍ୟରେ ମାତି ଯାଇଥିଲେ ଗୋପପୁରବାସୀ।

ତୃତୀୟ ଦିବସରେ ଗୋପପୁରରେ ନନ୍ଦରାଜାଙ୍କ ଦରବାର ଉଦଘାଟିତ ହୋଇଛି। ଏ ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ବରଗଡ଼ ଉପଜିଲ୍ଳାପାଳ ତଥା ଗୋପପୁର କମିଟିର ଆବାହକ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ଏସଡିପିଓ ଅମ୍ରିତ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନନ୍ଦଭବନ ଏବଂ ନନ୍ଦଦରବାରକୁ ଉଦଘାଟନ କରିଥିଲେ।

ସେହିପରି ମଥୁରା ନଗରୀରେ ମହାରାଜା କଂସ ପ୍ରତିଦିନ ପରି ନଗର ପରିଭ୍ରମଣ କରି ପ୍ରଜାମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରି ଦୈବବାଣୀକୁ ଭୁଲାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। କଂସ ମହାରାଜ ରାଜଦରବାରରେ ପାତ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ଓ ମନ୍ତ୍ରଣା ସମୟରେ ଦେବକୀଙ୍କର ଅଷ୍ଟମ ସନ୍ତାନ ଜନ୍ମର ଖବର ପାଇ ଭୟମିଶା କ୍ରୋଧାନ୍ଵିତ ହୋଇଥିଲେ। ବନ୍ଦୀଗୃହରେ କଂସାସୁର ଦେବକୀଙ୍କ କୋଳରୁ ସନ୍ତାନକୁ ଛଡ଼ାଇ ଆଣି ଦର୍ପଣ ଶୀଳାରେ କଚାଡ଼ିବା ପାଇଁ ଉଦ୍ୟମ କଲାବେଳେ ବିଜୁଳି କନ୍ୟାର ଆବିର୍ଭାବ ହୋଇଥିଲା। ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ମହାରାଜ କଂସ ରାଜଦରବାରକୁ ଫେରି ରାଜନବର୍ଗ ତଥା ଅସୁରକୂଳ ସହିତ ମନ୍ତ୍ରଣା କରିଥିଲେ। ଷଡ଼ମଲ୍ଲ ଓ ଭଉଣୀ ପୁତନାକୁ ଆବାହନ କରି ଦେବକୀର ଅଷ୍ଟମ ସନ୍ତାନର ବିନାଶ ପାଇଁ ଗୋପପୁର ପ୍ରେରଣ କରିଥିଲେ।

କଂସ ମହାରାଜ ନିଜର ଭୟ ଓ ଆବେଗକୁ ନିୟନ୍ତ୍ରଣ କରିବାଲାଗି ମହାମନ୍ତ୍ରୀ ଶକ୍ରାଜିତଙ୍କୁ ନୃତ୍ୟ ଗୀତର ଆସର ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାମନ୍ତ୍ରୀ ଶକ୍ରାଜିତଙ୍କ ଘୋଷଣା କ୍ରମେ ବରଗଡ଼ ତଥା ବାହାର ଅଞ୍ଚଳରୁ ଆସିଥିବା କଳାକାର ମାନେ ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

Comment