ଓଡ଼ିଶାଲାଇଭ୍ ବ୍ୟୁରୋ

covid testing centers-2

  • ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
  • କଟକ-ଭୁବନେଶ୍ଵର-ରାଉରକେଲାର ସମସ୍ତ ଡାକ୍ତରଖାନାରେ ଟେଷ୍ଟିଂ ବ୍ୟବସ୍ଥା

ଚୀନ, ଜାପାନ, ହଂକଂ, ସିଙ୍ଗାପୁର, କୋରିଆ ଏବଂ ଥାଇଲାଣ୍ଡ ଭଳି ୬ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ରହିଛି। ଏହି ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶାରେ କୋଭିଡ ସ୍ଥିତି ଭଲ ରହିଥିଲେ ମଧ୍ୟ ଆସନ୍ତା ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କ ରହିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଆଗକୁ ଓଡ଼ିଶାରେ ହକି ବିଶ୍ଵକପ ହେବାକୁ ଥିବାରୁ କୋଭିଡ ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି। ଗତ ୨୦୨୨ ନଭେମ୍ବର ୧୧ ତାରିଖରୁ କୋଭିଡ ସଂକ୍ରମଣର ସଂଖ୍ୟା ୧୦ ତଳେ ରହିଛି। କୌଣସି କୋଭିଡ ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ ହୋଇନାହାନ୍ତି।

କୋଭିଡ ମୁକାବିଲା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ହସ୍ପିଟାଲଗୁଡ଼ିକରେ ୨୦ଟି ଲେଖାଏଁ ବେଡ ମହଜୁଦ ରହିଛି। ଜିଲ୍ଲା ଚିକିତ୍ସାଳୟଗୁଡ଼ିକରେ ମଧ୍ୟ ବେଡ ରହିଛି। ଆବଶ୍ୟକତା ପଡ଼ିଲେ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ଜାନୁଆରି ୧୩ ତାରିଖରୁ ଓଡ଼ିଶାରେ ହକି ବିଶ୍ଵକପ ଆୟୋଜନ ହେବାକୁ ଥିବାରୁ ଭୁବନେଶ୍ଵର, କଟକ ଏବଂ ରାଉରକେଲାର ସମସ୍ତ ଅର୍ବାନ ପିଏଚସି ଏବଂ ସିଏଚସିରେ କୋଭିଡ ଟେଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ ହକି ଷ୍ଟାଡିୟମରେ ମଧ୍ୟ ଟେଷ୍ଟିଂ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Tags: #Covid19 #CoronaVirus #Awareness #Testing #Hockey

Comment